YouTube
ଭୁବନେଶ୍ବର : ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଏହାର ପ୍ରଚାର ଓ ପ୍ରସାର ପାଇଁ ଅଦ୍ୟାବଧି କେନ୍ଦ୍ର ସରକାର କୌଣସି ଅନୁଦାନ ଦେଇନାହାନ୍ତି ବୋଲି ଆଜି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଗତକାଲି ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ ସଂପର୍କରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯେଉଁ ପ୍ରସଙ୍ଗ ଉତ୍ଥାପନ କରିଥିଲେ, ତାର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଥିଲେ।
ମନ୍ତ୍ରୀ କହିଥିଲେ ଯେ ଅନୁଦାନ ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଆନୁୁପାତିକ ସହଭାଗିତା ସଂକ୍ରାନ୍ତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନୁହେଁ। ଓଡ଼ିଶା ସରକାର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପ୍ରଶାସନିକ ଶବ୍ଦକୋଷର ପ୍ରଣୟନ, କାର୍ଯ୍ୟାଳୟ ନଥି ପ୍ରସ୍ତୁତି, ଓଡ଼ିଶା ବାହାରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଏବଂ ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ବ୍ୟବସ୍ଥା ଆଦି ହୋଇଛି। ଏହାବ୍ୟତୀତ ରାଜ୍ୟ ସରକାର ଯେତେ ପଦକ୍ଷେପ ନେଇଛନ୍ତି, ତାର ଏକ ଲମ୍ବା ତାଲିକା ମନ୍ତ୍ରୀ ଗୃହରେ ରଖିଛନ୍ତି।
ଯଦିଓ ମନ୍ତ୍ରୀଙ୍କ ବିବୃତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ଝାଡିଥିଲେ। କଣ ପଚରାଯାଇଥିଲା ଓ କଣ ଉତ୍ତର ଆସିଲା ବୋଲି ଶ୍ରୀ ମିଶ୍ର ଉଦ୍ବେଗ ପ୍ରକାଶ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ବିବୃତି ପରେ ଆଉ ଆଲୋଚନାର ସୁଯୋଗ ନଥିବା କାରଣରୁ ଭିନ୍ନ ଫୋରମରେ ଆଣିଲେ, ଏ ପ୍ରସଙ୍ଗରେ ଆଲୋଚନା ହୋଇପାରିବ।
Follow Us