ପ୍ରଦୀପ୍ତ ନାୟକଙ୍କୁ ଏମ୍‌ସରେ ଭେଟିଲେ ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ

ପ୍ରଦୀପ୍ତ ନାୟକଙ୍କୁ ଏମ୍‌ସରେ ଭେଟିଲେ ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ

ଭୁବନେଶ୍ବର : ଏମ୍‌ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାକ୍ଷାତ କରିଛନ୍ତି। ଉଭୟ ମନ୍ତ୍ରୀ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଶ୍ରୀ ନାୟକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶ୍ରୀ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ପ୍ରାୟ ୬ ମାସ ତଳେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଶ୍ରୀ ନାୟକ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ମଝିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହେବା କାରଣରୁ ସେ ଦୀର୍ଘ ଦିନ ଭେଣ୍ଟିଲେଟର୍‌ରେ ରହିଥିଲେ। ଏବେ ସେ ଭେଣ୍ଟିଲେଟର୍‌ରୁ ବାହାରିଥିଲେ ହେଁ ସ୍ବାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ଥିବା କାରଣରୁ ସଂପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବେ ବୋଲି ଜଣାପଡ଼ିଛି।

ଏହି ଅବସରରେ ଗୃହମନ୍ତ୍ରୀ ଶ୍ରୀ ମିଶ୍ର ତାଙ୍କୁ ନୂଆଁଖାଇର ଅଭିନନ୍ଦନ ଆଗୁଆ ଜଣାଇବା ସହିତ ସମସ୍ତ କଳାହାଣ୍ଡିବାସୀ ଶ୍ରୀ ନାୟକଙ୍କ ଆଶୁଆରୋଗ୍ୟ କାମନା କରିଥିବା ଜଣାଇଛନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ସହିତ ସଂପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ନିଜକୁ ବାହ୍ୟ ବାତାବରଣରୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। କଳାହାଣ୍ଡିବାସୀଙ୍କ ଶ‌ୁଭେଚ୍ଛା ତାଙ୍କ ସହିତ ରହିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe