ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ବହିଷ୍କାର, ତଦନ୍ତ ପରିସରଭୁକ୍ତ କରାଯାଉ-ବିଜେପି

Advertisment

ମମିତା ମେହେର ହତ୍ୟାକାଣ୍ଡ ଘଟଣା

ମମିତା ମେହେର ହତ୍ୟାକାଣ୍ଡ ଘଟଣା

ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ବହିଷ୍କାର, ତଦନ୍ତ ପରିସରଭୁକ୍ତ କରାଯାଉ-ବିଜେପି

ଭୁବନେଶ୍ବର : ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଥିବା ଗଣମାଧ୍ୟମ ଓ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶ୍ରୀ ମିଶ୍ରଙ୍କ ଉପରେ ଉଠିଥିବା ପ୍ରଶ୍ନର ଜବାବ ନ ଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାରେ ଲାଗିଛନ୍ତି। ପୁଲିସକୁ ହାତବାରସି କରି ଶାସକ ବିଜେଡି ହତ୍ୟାକାଣ୍ଡକୁ ଦିଗହରାକୁ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହିତ ତଦନ୍ତ ପରିସରଭୁକ୍ତ କରିବା ଲାଗି ଭାରତୀୟ ଯୁବମୋର୍ଚା ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ଅପରାଜିତା ବଡ଼ଜେନା ଦାବି କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବଡ଼ଜେନା କହିଛନ୍ତି ଯେ ରାଜ୍ୟରେ ଘଟିଥିବା ଅନେକ ମହିଳା ହିଂସା, ନିର୍ଯାତନା ଓ ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସଂପୃକ୍ତି ରହିଛି। ମାତ୍ର ବିଜେଡିର ମହିଳା ନେତ୍ରୀମାନେ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ ନାରା ଦେଉଥିବା କହୁଥିବା ବେଳେ ମମିତା ହତ୍ୟାକାଣ୍ଡ ଘଟଣାରେ ନିରବ ରହିଛନ୍ତି। ଫଳରେ ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି। ତେଣୁ ଅନ୍ୟକୁ ପରାମର୍ଶ ନ ଦେଇ ବିଜେଡିର ମହିଳା ନେତ୍ରୀମାନେ ମା’ ଓ ଭଉଣୀଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚା ମିଡିଆ ସଂଯୋଜକ ସୁଜିତ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe