ଯାଜପୁରଟାଉନ/ବିଞ୍ଝାରପୁର: ଯାଜପୁର ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଗୋବିନ୍ଦପୁର ସେତୁ ଦେଇ ବିଞ୍ଝାରପୁର ବ୍ଲକ୍କୁ ପ୍ରବେଶ କରିବା ସହ ସିଂହପୁର ନିକଟରେ ଧାନ ଫସଲ ଦେଖିଥିଲେ। ପରେ ବ୍ଲକ୍ର ରସିକ ଛକ ଦେଇ ଅଳକୁଣ୍ଡ, ପ୍ରୀତିପୁର, ଅନ୍ଦିପୁର, ରାମବାଗ ଦେଇ ଯାଜପୁର ଅଭିମୁଖେ ଯାଇଥିଲେ। ଯିବା ବାଟରେ କପିଳା ଓ ବରପଦା ନିକଟ ରାସ୍ତାକଡ଼ରେ ଥିବା ଧାନକ୍ଷେତରେ ଧାନ ଦେଖିଥଲେ। କିନ୍ତୁ ବରପଦା ପାଖରେ ଥିବା ଚିକଣା ପଞ୍ଚାୟତ ମଣିତାପୁର ଗ୍ରାମର ମୃତ ଚାଷୀ ମଣିରାମ ମହାନ୍ତିଙ୍କ ପରିବାରକୁ ଭେଟିବାକୁ ଯାଇନଥିଲେ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ଚାଷୀ ମଣିରାମ ମହାନ୍ତିଙ୍କ ମୃତ୍ୟୁ ସ୍ୱାଭାବିକ କି ନୁହେଁ, ତାହା ତଦନ୍ତ ପରେ ଜଣାପଡ଼ିବ। ସେଥିପାଇଁ ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପଞ୍ଚାୟତ ଓ ବ୍ଲକ୍ୱାରି ଯୁଗ୍ମ କମିଟି ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଜିଲ୍ଲାରେ ସମୁଦାୟ ୧ ଲକ୍ଷ ୧୮୧୧ ହେକ୍ଟର ଜମିରେ ହୋଇଥିବା ଧାନଚାଷ ମଧ୍ୟରୁ ପ୍ରାୟ ୮୦ ହଜାର ହେକ୍ଟର ଜମିରୁ ଧାନ ଅମଳ ହୋଇଛି। ୮୧ ହଜାର ୨୭୩ ଜଣ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଛନ୍ତି। ଜିଲ୍ଲାରେ ୯୧୫୩ ହେକ୍ଟର ଜମି ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ବୀମାଭୁକ୍ତ ହୋଇନଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତି ଆକଳନ ସର୍ଭେ କାର୍ଯ୍ୟ ଚାଲୁ ରହିଛି। ବୀମାଭୁକ୍ତ ଓ ବୀମା କରିନଥିବା ପ୍ରକୃତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ ସମୟରେ ଚାଷୀମାନଙ୍କ ପ୍ରତି କୋହଳ ମନୋଭବ ପୋଷଣ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ଜିଲ୍ଲାର ବିଞ୍ଝାରପୁର, ଦଶରଥପୁର ଓ ବଡ଼ଚଣା ବ୍ଲକ୍୍ର ଅଦିନିଆ ବର୍ଷା କ୍ଷୟକ୍ଷତି ହୋଇଥିବାର ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମନ୍ତ୍ରୀ ଯାଜପୁର ଗସ୍ତ ସମୟରେ ବିଞ୍ଝାରପୁର ଓ ଦଶରଥପୁର ବ୍ଲକ୍ର ଅଳକୁଣ୍ଡ, କପିଳା, ବିରଜାପୁର ପଞ୍ଚାୟତ ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଫସଲବୀମା ରାଶି ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେହି ଜଣେ କୃଷକ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ ନାହିଁ। ଆସନ୍ତାକାଲି ୩୦ ତାରିଖ ପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା, ଜିଲ୍ଲା କୃଷି ଅଧିକାରୀ ଅରୁଣ କୁମାର ପାତ୍ର, ସମସ୍ତ ତହସିଲଦାର, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ଓ ବ୍ଲକ୍ କୃଷି ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପଟେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ। ମୃତଚାଷୀଙ୍କ ଘରଠାରୁ ମାତ୍ର ୨ କିଲୋମିଟର ଦୂରକୁ ଆସି ମନ୍ତ୍ରୀ ଚାଲିଗଲେ। ଅଥଚ ତାଙ୍କ ଘରକୁ ଯାଇପାରିଲେ ନାହିଁ କି ତାଙ୍କ ପରିବାରକୁ ସାନ୍ତ୍ବନା ଦେଲେ ନାହିଁ। ଏହା ମୃତ ଚାଷୀଙ୍କ ପରିବାର ପ୍ରତି ଅପମାନ ବୋଲି ସେ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରରୁ ଜଣକୁ ସରକାରୀ ଚାକିରି ଦିଅନ୍ତୁ ବୋଲି ପ୍ରମିଳା ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି।
Follow Us