Ministers and MLAs have not forgotten tradition Photograph: (sambad.in)
ନବରଙ୍ଗପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ତେବେ ଏହାକୁ ନବରଙ୍ଗପୁର ଜିଲ୍ଲାରେ ବି ଲୋକେ ପାଳନ କରି ଆସୁଛନ୍ତି। ସହରରୁ ଗାଁ ଯାଏଁ ଏହା ପାଳନ କରାଯାଉଛି। ପରିବାରର ସଦସ୍ୟମାନେ ଯିଏ ଯେଉଁଠାରେ ରହିଲେ ମଧ୍ୟ ଏହି ପୂଜା ଦିନ ଘରେ ଏକତ୍ରିତ ହୁଅନ୍ତି।
ଆଧୁନିକତାର ଚାକଚକ୍ୟ ଓ ବଡ଼ ପଦବୀକୁ ଯିବା ପରେ ବହୁ ଲୋକେ ନିଜ ଗାଁ, ନିଜ ବନ୍ଧୁପରିଜନ,ଗାଁ ଲୋକଙ୍କୁ ଭୂଲିଯାଇଥାନ୍ତି।
ପରମ୍ପରାକୁ ନ ଭୁଲି ନିଜ ଗାଁ ନିଜ ମାଟିରେ ନୂଆଁଖାଇ ନିଆରା ଢଙ୍ଗରେ ପାଳିଛନ୍ତି ରାଜ୍ୟ କ୍ୟାବିନେଟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ।
ଘରେ ଇଷ୍ଟ ଦେବତାଙ୍କ ଠାରେ ପୂଜା ଅର୍ଚ୍ଚନା କରି ପରିବାରମୁଖିଆ ଓ ବଡ୍ ମାନଙ୍କର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆର୍ଶୀବାଦ ନେଇଥିଲେ । ଗୁରୁବାର ମନ୍ତ୍ରୀ ରାଇଘର ବ୍ଲକର ଚିତ୍ରକୁଟ ସମେତ ବିଭିନ୍ନ ଗାଁରେ ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ଶୁକ୍ରବାର ସେ ନିଜ ନିର୍ବାଚନମଣ୍ଡଳୀର ଉମରକୋଟ ବ୍ଲକ୍ ସହ ଝରିଗାଁ ବ୍ଲକ୍ର କିଛି ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ନିଜ ସମ୍ପ୍ରଦାୟର ଭାଇଭଉଣୀମାନେ ପାରମ୍ପରିକ ବାଜା ବଜାଇ ଲୋକନୃତ୍ୟୁ କରୁଥିଲେ। ମନ୍ତ୍ରୀ ଏଥିରେ ବାଜା ବଜାଇ ସାମିଲ ହୋଇଥିଲେ। ଦୀର୍ଘ ସମୟ ଧରି ସେମାନଙ୍କ ସହ ସମୟ ବିତାଇଥିଲେ।
ସେହିପରି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରୀସ୍ଥିତ ଗାଁକୁ ଯାଇ ସେଠାରେ ଘରେ ଇଷ୍ଟଦେବତାଙ୍କ ପାଖରେ ପୂଜା ଅର୍ଚ୍ଚନା କରି ନବାନ୍ନ ଗ୍ରହଣ କରିଥିଲେ। ଏହା ପରେ ସେ ଗାଁର ସାନ ବଡ଼ମାନଙ୍କ ସହ ଘରକୁ ଘର ବୁଲି ଲୋକଙ୍କୁ ଭେଟିଥିଲେ। ସେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ।। ମନ୍ତ୍ରୀ ଏବଂ ବିଧାୟକ କହିଛନ୍ତି, ନିଜ ସଂସ୍କୃତି, ଐତିହ୍ୟ, ପରମ୍ପରା, ଚାଳିଚଳଣୀକୁ କେବେ ବି ଭୁଲିବା ଉଚିତ ନୁହେଁ। ଆମେ ଆମ ଜାତି, ସମ୍ପ୍ରଦାୟ ପାଇଁ ଗର୍ବ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
Nityananda Gond | Nuakhai
Follow Us