Third degree assault at police station: ଥାନାରେ ନାବାଳକଙ୍କୁ ଥାର୍ଡଡିଗ୍ରି: ଜାତିକୁ ଆକ୍ଷେପ କରି ଗାଳିଦେଲେ, ବିବସ୍ତ୍ର କଲେ

ଏକ ଚୋରି ଘଟଣାର ତଦନ୍ତ ପାଇଁ ଜଣେ ୧୪ ବର୍ଷର ନାବାଳକଙ୍କୁ ଥାନାକୁ ନେଇ ନିସ୍ତୁକ ପିଟିଛି ପୁଲିସ। ପୁଲିସର ଥାର୍ଡଡିଗ୍ରି ଯୋଗୁଁ  ନାବାଳକ ଜଣକ ଆହତ ହୋଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

police

Photograph: (Sambad)

ତିହିଡ଼ି/ଘଣ୍ଟେଶ୍ବର: ଏକ ଚୋରି ଘଟଣାର ତଦନ୍ତ ପାଇଁ ଜଣେ ୧୪ ବର୍ଷର ନାବାଳକଙ୍କୁ ଥାନାକୁ ନେଇ ନିସ୍ତୁକ ପିଟିଛି ପୁଲିସ। ପୁଲିସର ଥାର୍ଡଡିଗ୍ରି ଯୋଗୁଁ  ନାବାଳକ ଜଣକ ଆହତ ହୋଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନାରେ। ଏନେଇ ଏସ୍‌ପି ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ ନାବାଳକଙ୍କ ବାପା।

ନାବାଳକ ବାପାଙ୍କ ଅଭିଯୋଗ ମୁତାବକ, ପୀରହାଟ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରୁ ମୋବାଇଲ୍‌ ଫୋନ୍‌ ଚୋରି ନେଇ ଗତମାସ ୨୭ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସଂପୃକ୍ତ ନାବାଳକ ଚୋରି କରିଥିବା ଅଭିଯୋଗ କରିଥିଲେ। ଏହାର ପ୍ରତିବାଦ କରି ପରଦିନ   ଥାନାରେ ପାଲଟା ଏତଲା ଦେଇଥିଲେ। ତେବେ ଗତ ୨ ତାରିଖ ରାତି ୮ଟାରେ ଥାନାରେ ହାଜର ହେବାକୁ ତାଙ୍କୁ ଫୋନ୍‌ ଯୋଗେ ପୁଲିସ ଜଣାଇଥିଲେ। ତଦନୁଯାୟୀ ବାପପୁଅ ରାତି ୮ଟା ବେଳେ ଥାନାରେ ପହଞ୍ଚିଥିଲେ। ଅପରପକ୍ଷ ମଧ୍ୟ ଥାନାରେ ହାଜର ହୋଇଥିଲେ। ଥାନା ଅଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ମୋବାଇଲ୍‌ ସମ୍ପର୍କରେ ପଚରାଉଚରା କରିଥିଲେ। ମୋବାଇଲ ଚୋରି ଅଭିଯୋଗକୁ ନାବାଳକ ଖଣ୍ଡନ କରିଥିଲେ।

ଜାତିକୁ ଆକ୍ଷେପ କରି ଗାଳିଦେଲେ, ବିବସ୍ତ୍ର କଲେ
ଏସ୍‌ପି, ମାନବାଧିକାର କମିସନରେ ଦ୍ବାରସ୍ଥ ହେଲେ ବାପା

ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନାର ଜଣେ ଏସ୍‌ଆଇ ନାବାଳକଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏପରିକି ‘ତୁ ଚୋର, ତୋ ବାପା ଚୋର’ ବୋଲି କହିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ପିଟିଥିଲେ। ଏଥିସହ ନାବାଳକଙ୍କୁ ଥାନା ଭିତରକୁ ଆଣି ଜାମା ପ୍ୟାଣ୍ଟ ଖୋଲିବାକୁ କହିଥିଲେ। ସେ ଜାମା ଖୋଲିଥଲେ ମଧ୍ୟ ପ୍ୟାଣ୍ଟ ଖୋଲିବାକୁ ଅରାଜି ହୋଇଥିଲେ। ଫଳରେ ପୁଲିସ ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖି ପରେ ବାପପୁଅଙ୍କୁ ଛାଡ଼ିଥିଲେ।

ପୁଲିସ ମାଡ଼ରେ ନାବାଳକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ବାପା ଭର୍ତ୍ତି କରିଥିଲେ। ନାବାଳକ ଜଣକ ସୁସ୍ଥ ହେବାପରେ ତାଙ୍କ ବାପା ଏନେଇ ଏସ୍‌ପିଙ୍କୁ ଅଭିଯୋଗ କରିବା ସହ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରି ପୁଲିସର ମାଡ଼ ଘଟଣାର ସତ୍ୟତା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି। 
ଏନେଇ ଆଇଆଇସି ରୋଜାଲିନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏକ ମୋବାଇଲ୍‌ ଚୋରି ମାମଲାରେ ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ତେବେ ନାବାଳକଙ୍କୁ ମାଡ଼ ମରାଯିବା ଅଭିଯୋଗର ସତ୍ୟତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe