ଓଟିରେ ଡାକ୍ତରଙ୍କ ମାଡ଼ରେ ନାବାଳକ ରକ୍ତାକ୍ତ

Advertisment

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ତଦନ୍ତ ନିର୍ଦେଶ ଦେଲେ ସିଡ଼ିଏମ୍‌ଓ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ତଦନ୍ତ ନିର୍ଦେଶ ଦେଲେ ସିଡ଼ିଏମ୍‌ଓ

ଓଟିରେ ଡାକ୍ତରଙ୍କ ମାଡ଼ରେ ନାବାଳକ ରକ୍ତାକ୍ତ

Dailyhunt

ପୁରୀ : ଓଟି ଭିତରେ ଡାକ୍ତରଙ୍କ ନିର୍ଘାତ ମାଡ଼ ଯୋଗୁ ଚିକିତ୍ସାଧୀନ ଜଣେ ନାବାଳକ ରକ୍ତାକ୍ତ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏହାକୁ ନେଇ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ଏଡ଼ିଏମ୍‌ଓ (ମେଡିକାଲ)ଙ୍କ ଜରିଆରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି।

ଅଭିଯୋଗ ମୁତାବକ, ପୁରୀ ମାର୍କଣ୍ଡେଶ୍ୱର ସାହିର ଅର୍ଜୁନ ମାନସିଂହଙ୍କ ୧୦ ବର୍ଷର ପୁଅ ଜୟରାମ ପାୟୋମ୍ୟୋସିଟିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। ଆଜି ଏହାର ଅପରେସନ୍‌ ପାଇଁ ସେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ବେଳେ ଓଟିରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଓଟିରେ କ’ଣ ହେଲା କେଜାଣି ଅପରେସନ୍ ଦାୟିତ୍ବରେ ଥିବା ଶଲ୍ୟ ବିଭାଗ ଡାକ୍ତର ପି.କେ. ଜେନା ଜୟରାମଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଗାଲକୁ ଶକ୍ତ ଚାପୁଡ଼ା ସାଙ୍ଗକୁ ମୁହଁକୁ ମାଡ଼ ମାରିବାରୁ ଜୟରାମଙ୍କ ଓଠ, ଗାଲ ଫାଟି ରକ୍ତସ୍ରାବ ହୋଇଥିଲା। ଏହି ଖବର ଜାଣିବା ପରେ ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଖପାଖ ଲୋକେ ବି ଏଥିରେ ଉତ୍ତ୍ୟକ୍ତ ହୋଇ ହୋହଲ୍ଲା କରିଥିଲେ। ସଂପୃକ୍ତ ଡାକ୍ତର ବାରମ୍ବାର ଏଭଳି କାଣ୍ଡ ଘଟାଉଥିବା ଡାକ୍ତରଖାନା ପରିସରରେ ଥିବା ଅନ୍ୟ ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। କେବଳ ନାବାଳକଙ୍କୁ ମାଡ଼ ମରାଯାଇନି, ତାଙ୍କ ପରିବାରଠାରୁ ଅପରେସନ୍ ପାଇଁ ସଂପୃକ୍ତ ଡାକ୍ତର ୯ ଶହ ଟଙ୍କା ନେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏ ସଂପର୍କରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ସେ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଯଦି କେହି ଦୋଷୀ ପ୍ରମାଣିତ ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଟଙ୍କା ନେବା ଓ ମାଡ଼ମରା ଘଟଣାକୁ ଶଲ୍ୟ ବିଭାଗ ଡାକ୍ତର ପି‌.କେ.ଜେନା ଖଣ୍ଡନ କରିଛନ୍ତି। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଡା. ଜେନା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚୁକ୍ତିଭିତ୍ତିକ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe