ଯାଜପୁର : ନାବାଳିକାକୁ ନିର୍ଯାତନା ପରେ ଫିଙ୍ଗିଦେଲେ

Advertisment
ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

Image Source: India Today

ଯାଜପୁରସଦର/ଧର୍ମଶାଳା/କଣ୍ଟିଗଡ଼ିଆ : ଯାଜପୁରର ଧର୍ମଶାଳା ବ୍ଲକ୍‌ରେ ପୁଣି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ନାବାଳିକାକୁ ୪ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଛନ୍ତି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ସେ ନିଶାସକ୍ତ ବି ଥିବା ଜଣାପଡ଼ିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସଖୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ପୃକ୍ତ ନାବାଳିକାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଚଣ୍ଡିଖୋଲ ଛକରେ ଥିବା କସ୍‌ମେଟିକ୍ ଦୋକାନକୁ ତାଙ୍କ ଝିଅ ଅନେକ ସମୟରେ କିଣାକିଣି କରିବାକୁ ଯାଏ। ସମ୍ପୃକ୍ତ ବ୍ୟବସାୟୀ କୌଣସି ଉଦ୍ଦେଶ୍ୟ ରଖି ତାଙ୍କ ଝିଅକୁ ମାଗଣାରେ ଜିନିଷ ଦେଉଥିଲେ। ଏହାପରେ ସେ ତାଙ୍କ ଝିଅକୁ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ। ମାତ୍ର, ଝିଅ  ରାଜି ନହେବାରୁ ଗତ ୧୫ ତାରିଖ ରାତିରେ ସେ ଝିଅକୁ ଘରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ୪ ଦିନ ଧରି ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ବାରମ୍ବାର ନିଶା ବି ଖୁଆଉଥିଲେ। ଗତକାଲି ସଂଧ୍ୟାରେ ନାବାଳିକାକୁ ଏକ ଗାଡ଼ିରେ ଆଣି ତାଙ୍କ ଘର ପାଖ ରାସ୍ତାରେ ଫିଙ୍ଗିଦେଲେ। ସେ ଗାଡ଼ିରେ ଜଣେ ମହିଳା ବି ଥିଲେ। ନାବାଳିକାଙ୍କୁ ନିଶାସକ୍ତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ ଉଦ୍ଧାର କରି ଧର୍ମଶାଳା ଥାନାକୁ ନେଇଥିଲେ। ଧର୍ମଶାଳା ପୁଲିସ ସହାୟତାରେ ତାଙ୍କୁ ଯାଜପୁର 'ସଖୀ' କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲନଥିବା ଜଣାପଡ଼ିଛି।

ତେବେ, ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ ଜଣାପଡ଼ିନାହିଁ। ଆସନ୍ତାକାଲି ତାଙ୍କର ଡାକ୍ତରୀମାଇନା କରାଯିବ। ଅନ୍ୟପକ୍ଷରେ, ଧର୍ମଶାଳା ଥାନାରେ କେସ ନମ୍ବର ୧୭/୨୦୨୦ରେ ଏକ ଅପହରଣ ମାମଲା ରୁଜୁ କରି ପୁଲିସ୍‌ ଚୁପ ହୋଇ ବସିଛି। ଅଭିଯୁକ୍ତଙ୍କ ପରିବାରର ଜଣେ ସଂପର୍କୀୟ ଧର୍ମଶାଳା ଥାନାର କର୍ମଚାରୀ। ସେଇଥିପାଇଁ ଏହି ଘଟଣାକୁ ଆଗକୁ ନ ବଢ଼ାଇବା ସହିତ ସମାଧାନ କରିବାକୁ ଫୋନ୍‌ରେ ଧମକ ଦିଆଯାଉଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe