ଯାଜପୁର: ଦଳିତ ନାବାଳିକା ନିର୍ଯାତନା ଘଟଣାରେ ପୁଲିସ୍‌ ଲିଙ୍କ୍‌; ଅଭିଯୁକ୍ତ ଅଟକ, ସ୍କର୍ପିଓ ଜବତ

ପୁଲିସ ଭଉଣୀ ଭିଣୋଇ କରିଥିଲେ ସହାୟତା

ଯାଜପୁର: ଦଳିତ ନାବାଳିକା ନିର୍ଯାତନା ଘଟଣାରେ ପୁଲିସ୍‌ ଲିଙ୍କ୍‌; ଅଭିଯୁକ୍ତ ଅଟକ, ସ୍କର୍ପିଓ ଜବତ

ଯାଜପୁରସଦର/ଧର୍ମଶାଳା/କଣ୍ଟିଗଡିଆ :  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ରାସ୍ତା କଡ଼ରେ ଫିଙ୍ଗି ଦେବା ଘଟଣା ଉପରୁ ପରଦା ହଟିଛି। ମୁଖ୍ୟ ଅଭିଯୁକ୍ତ ସତ୍ୟ ନାରାୟଣ ସାମଲ ଓରଫ ପିଣ୍ଟୁଙ୍କୁ ପୁଲିସ ଆଜି ଉଠାଇ ଆଣିଥିବା ବେଳେ ସେ ବ୍ୟବହାର କରିଥିବା ‌ସ୍କର୍ପିଓକୁ ଜବତ କରିଛି। ତେବେ ପୀଡ଼ିତା ଦେଇଥିବା ବିସ୍ଫୋରକ ବୟାନ ପୁଲିସକୁ କାଠଗଡ଼ାରେ ଠିଆ କରିଛି। ଅଭିଯୁକ୍ତ ପିଣ୍ଟୁଙ୍କ ଭଉଣୀ ଏବଂ ଭିଣୋଇ ଧର୍ମଶାଳା ଥାନାରେ କାର୍ଯ୍ୟ କରୁଥିବା ବେଳେ ଭଉଣୀ (ମହିଳା କନେଷ୍ଟବଳ) ହିଁ ପୀଡ଼ିତାଙ୍କ ପରିବାରକୁ ଫୋନ୍‌ କରି ଝିଅକୁ ନେଇଯିବାକୁ କହିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହ ପିଣ୍ଟୁଙ୍କ ରଙ୍ଗଶାଳା ସମ୍ପର୍କରେ ରୋଚକ ତଥ୍ୟ ପଦାକୁ ଆସିଛି। ଗୋଚର ଜମିରେ ପିଣ୍ଟୁ ବିୟୁଟି ପାର୍ଲର କରି ଝିଅମାନଙ୍କୁ ଫସାଇ ଏଭଳି କାରନାମା ଚଳାଉଥିଲା ବୋଲି ଅଭିଯୋଗ ହୋଇଛି। ଯାହାକି ବିଭିନ୍ନ ମହଲରେ ଆଲୋଡ଼ନ ଖେଳାଇ ଦେଇଛି।

ପ୍ରକ‌ାଶ ଥାଉକି, ଗତ ୧୪ ତାରିଖ ରାତିରେ ଧର୍ମଶାଳା ଥାନା ଅଞ୍ଚଳରୁ ଜଣେ ଦଳିତ ନାବାଳିକା (ଦଶମ ଶ୍ରେଣୀ ଛାତ୍ରୀ)କୁ ଅପହରଣ କରି ନିଆଯାଇଥିଲା। ନାବାଳିକା ଅପହରଣର ୪ଦିନ ପରେ ଗତ ୧୮ତାରିଖରେ ଅଭିଯୁକ୍ତ ପିଣ୍ଟୁଙ୍କ ଭଉଣୀ ତଥା କନେଷ୍ଟବଳ(ଧର୍ମଶାଳା ଥାନା) ଫୋନ୍ ଯୋଗେ ପୀଡ଼ିତା ପରିବାରକୁ ଖବର ଦେଇଥିଲେ ଯେ ତାଙ୍କ ଝିଅ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ଜାତୀୟ ରାଜପଥ ପାର୍ଶ୍ବ‌ରେ ପଡ଼ିଛି। ପରିବାର ଲୋ‌କେ ସେଠାରୁ ପୀଡ଼ିତାକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଧର୍ମଶାଳା ପୁଲିସ ପୀଡ଼ିତାକୁ ଯାଜପୁର ସଖୀ ସେଣ୍ଟରରେ ରଖି କାଉନସେଲିଂ କରୁଛି। ଅପହରଣ ପରେ ଅଭିଯୁକ୍ତ ପୀଡ଼ିତାକୁ ମିଠାରେ ନିଶା ଦେଇ ଶାରୀରିକ ଓ ମାନସିକ ନର୍ଯାତନା ଦେଉଥିଲା। ଶରୀରରୁ ନିଶା ପ୍ରଭାବ କମିବା ପରେ ପୀଡ଼ିତା ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ସମ୍ପର୍କରେ ବିସ୍ଫୋରକ ତଥ୍ୟ ଦେଇଛି । ଅପହରଣ ପରେ ପ୍ରଥମେ ଯେଉଁ ସ୍ଥାନ‌ରେ ରଖାଯାଇଥିଲା ସେହି ଘରର ଉପର ମହଲାରେ ପୁଲିସ କର୍ମଚାରୀ ରହୁଥିଲେ ଏବଂ ବାରମ୍ବାର ଯିବାଆସିବା କରୁଥିଲେ। ଏହାପରେ ତାକୁ ଆଖିରେ ପଟି ବାନ୍ଧି ଅନ୍ୟ ୨ଟି ସ୍ଥାନକୁ ନିଆଯାଇଛି। ତାଙ୍କୁ ପ୍ରବଳ ମାଡ଼ ମରାଯିବା ସହ କିଛି ଖାଇବାକୁ ନଦେଇ କେବଳ ନିଶାଯୁକ୍ତ ମିଠା ଖାଇବାକୁ ବାଧ୍ୟ କରାଯାଉଥିଲା। ସକାଳୁ ନିଜକୁ ଉଲଗ୍ନ ଅବସ୍ଥାରେ ପାଉଥିଲା। ଉପସ୍ଥିତ ଜଣେ ଯୁବତୀ ତାଙ୍କୁ ସକାଳୁ ପୋଷାକ ପିନ୍ଧାଇବା ସହ ଗାଧୋଇ ଦେଉଥିଲେ ବୋଲି ପୀଡ଼ିତା ପ୍ରକାଶ କରିଛି। ଅଭିଯୁକ୍ତ ସତ୍ୟ ନାରାୟଣ(ପିଣ୍ଟୁ) ତାଙ୍କୁ ପ୍ରବଳ ମାଡ଼ ମାରିଥିବା ପୀଡ଼ିତା କହିଛି। ଅଭିଯୁକ୍ତ ସହ ୩ ଯୁବକ ଏବଂ ଜଣେ ଯୁବତୀ ଥିଲେ। ପୁଲିସ ପୀଡ଼ିତାର ଆଜି ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe