ଡକାୟତ ଆକ୍ରମଣରୁ ବଞ୍ଚିବା ପାଇଁ ଛାତରୁ ଡେଇଁଲା ନାବାଳିକା

Advertisment
ଡକାୟତ ଆକ୍ରମଣରୁ ବଞ୍ଚିବା ପାଇଁ ଛାତରୁ ଡେଇଁଲା ନାବାଳିକା

Times of India

ଛତିଆ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତର ଅହମ୍ମଦପୁର ଗ୍ରାମରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ‌ହୋଇଛି। ଡକାୟତମାନେ ବନ୍ଧୁକ ଭୟ ଦେଖାଇ ଟଙ୍କା ସୁନାରୁପା ଅଳଙ୍କାର ଲୁଟି ନେଇଥିବା ବେଳେ ନାବାଳିକା ଝିଅକୁ ଆକ୍ରମଣ କରିଥିଲେ। ନାବାଳିକା ଜଣକ ଆତ୍ମରକ୍ଷା ପାଇଁ ଛାତ ଉପରରୁ ଡେଇଁ ପଡ଼ିବାରୁ ଗୁରୁତର ଆହତ ‌ହୋଇଛନ୍ତି। ତାଙ୍କ ଗୋଟିଏ ହାତ ଭାଙ୍ଗିଯାଇଛି।

ବଡ଼ଘୁମୁରି ପଞ୍ଚାୟତ ଅହମ୍ମଦପୁର ଗ୍ରାମର ପୁନାନନ୍ଦ ମହାନ୍ତିଙ୍କ ପରିବାର ଲୋକେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ମୁହଁରେ ମୁଖା ବାନ୍ଧି ଶୟନ କକ୍ଷରେ ପଶିଥିଲେ। ସିଡ଼ିଘର କବାଟ ନଥିବାରୁ କାନ୍ଥରେ ଏକ ବାଉଁଶରେ ଚଢି ଘର ଭିତରେ ପ୍ରବେଶ କରିଥିଲେ। ଡକାୟତମାନେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଧମକାଇବା ପରେ ସମସ୍ତଙ୍କ ହାତ ବାନ୍ଧି ଦେଇଥିଲେ। ପରେ ଆଲମିରା ଚାବି ନେଇ ସେଥିରୁ ୪ଭରି ସୁନା ଅଳଙ୍କାର ଓ ୩୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଡକାୟତମାନେ ନାବାଳିକା ଝିଅକୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ନିରୁପାୟ ହୋଇ ଘର ଛାତ ଉପରକୁ ପଳାଇଥିଲେ। ଡକାୟତମାନେ ତାଙ୍କ ପିଛା କରିବାରୁ ଆତ୍ମରକ୍ଷା ପାଇଁ ଛାତରୁ ଡେଇଁ ପଡିଥିଲେ। ଫଳରେ ନାବାଳିକାର ହାତ ଭାଙ୍ଗିବା ସହିତ ଗୁରୁତର ଆହତ ହୋଇଛି। ଏଭଳି ସ୍ଥିତିରେ ଦୁର୍ବୃତ୍ତମାନେ ସେଠାରୁ ଚାଲିଯାଇଥିଲେ।

ପୁନାନନ୍ଦଙ୍କ ପୁଅ ଗ୍ରାମବାସୀଙ୍କୁ ଜଣାଇବା ସହ ପୁଲିସକୁ ସୂଚନା ଦେଇଥିଲେ। ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ଓ ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ଏକ ପୁଲିସ ଟିମ ଘଟଣାସ୍ଥଳରେ ପହ‌ଞ୍ଚି ଛାନଭିନ୍ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଆଜି ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ କହିଛନ୍ତି। ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe