The Statesman
ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ୨୦୧୪ ମସିହାରେ ସ୍କୁଲ ଯାଉଥିବା ଜଣେ ଛାତ୍ରୀକୁ ୩ ଜଣ ଯୁବକ ଏକ କାର୍ ଯୋଗେ ଅପହରଣ କରିବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁମିତା ଜେନା ମୁଖ୍ୟ ଅଭିଯୁକ୍ତ କିଶୋର ପୂର୍ତ୍ତିକୁ ୨ ବର୍ଷ ୬ ମାସ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଶୋରର ସହଯୋଗୀ ଅଶୋକ ନାୟକ ଓ ଘାସିରାମ ନାୟକଙ୍କୁ ମଧ୍ୟ ୨ ବର୍ଷ ଲେଖା ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଏଥିସହ ପୀଡ଼ିତା ନାବାଳିକାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।
ସୂଚନାଯୋଗ୍ୟ; ୨୦୧୪ ଅଗଷ୍ଟ ୨୮ ତାରିଖ ଦିନ ନାବାଳିକା ଜଣକ ସାଇକେଲ ଯୋଗେ ସ୍କୁଲକୁ ଯାଉଥିବା ବାଟରେ କିଶୋର ଓ ତାର ଦୁଇ ସହଯୋଗୀ ଏକ କାର୍ରେ ନାବାଳିକାଙ୍କୁ ଟେକି ନେଇଥିଲେ। କିଶୋର ଉକ୍ତ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ବିବାହ ଉଦ୍ଦେଶ୍ୟରେ ଏମିତି କାଣ୍ଡ କରିଥିଲା। ନାବାଳିକାଙ୍କ ପରିବାର ଲୋକେ ରରୁଆଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ କେସ ନଂ ୫୪/୨୦୧୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ଟିମ୍ କିଶୋରର ଭାଇ ଘରେ ଚଢଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।
Follow Us