ନୟାଗଡ଼/ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ ଜଣେ ନାବାଳିକାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ, ତାର ମୃତଦେହ କନ୍ଧମାଳର ଫିରିଙ୍ଗିଆ ବ୍ଲକର ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ସୂଚନା ମିଳିଥିବା ବେଳେ, ତଦନ୍ତରେ ବାଧା ଉପୁଜିବା କାରଣ ଦର୍ଶାଇ ପୁଲିସ ସବିଶେଷ ସୂଚନା ଦେଇନାହିଁ। ମୃତ ନାବାଳିକାଙ୍କ ପରିବାରର ୩ ଜଣଙ୍କୁ ଅଟକ ରଖାଯାଇଥିବା ନୟାଗଡ଼ ଏସ୍ଡିପିଓ ସ୍ନୋହାଶିଷ ସାହୁ କହିଛନ୍ତି। ମୃତକଜଣଙ୍କ ସୋରଡାର ବିପ୍ର ନାୟକଙ୍କ ଝିଅ ତୁଳସୀ ନାୟକ (୧୭) ବୋଲି ଜଣାପଡ଼ିଛି।
ଗତକାଲି (ଶୁକ୍ରବାର) ସକାଳେ ତୁଳସୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ଝିଅକୁ ମେଡିକାଲ ନେଇନଥିଲେ କିମ୍ବା ଥାନାକୁ ଜଣାଇନଥିଲେ। ଯାହା ପଛରେ ପରିବାରର ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଥିବା ବେଳେ ଶବକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ଏକ ଜଙ୍ଗଲ ମଧ୍ୟରେ ପୋତି ସବୁକିଛି ଲୁଚାଇ ଦେବାକୁ ପରିବାର ଲୋକ ଅପଚେଷ୍ଟା କରିଥିଲେ। ନୂଆଗାଁ ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ନିଜ ପକ୍ଷରୁ ମାମଲା କରିଥିବା ନୟାଗଡ଼ ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି। ଘଟଣାସ୍ଥଳରୁ ନୂଆଗାଁ ପୁଲିସ ଶବ ଉଦ୍ଧାର କରିଛି, ତଦନ୍ତ ଜାରି ରହିଥିବା ଶ୍ରୀ ସାହୁ କହିଛନ୍ତି। ତେବେ ଘଟଣା ପଛରେ ପ୍ରେମବ୍ୟାପାର ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
Follow Us