ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭି‌ଯୋଗ ଘଟଣା : ଏନ୍‌ଏଚ୍‌ଆରସିରେ ଦାଖଲ ହେଲା ମାମଲା, ଫେବ୍ରୁଆରି ୨୧ସୁଦ୍ଧା ଜବାବ ଦଖଲ ପାଇଁ ନିର୍ଦେଶ

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭି‌ଯୋଗ ଘଟଣା : ଏନ୍‌ଏଚ୍‌ଆରସିରେ ଦାଖଲ ହେଲା ମାମଲା, ଫେବ୍ରୁଆରି ୨୧ସୁଦ୍ଧା ଜବାବ ଦଖଲ ପାଇଁ ନିର୍ଦେଶ

India Today

ନବରଙ୍ଗପୁର : ରାଜ୍ୟରେ ନିର୍ଭୟା ନିୟମାବଳୀ ପାଳନ ହେଉନି। ପ୍ରଶାସନ ଏବଂ ପୁଲିସର ବିଫଳତା ଯୋଗୁଁ ଦୁଷ୍କର୍ମ ଏବଂ ହତ୍ୟା ଭଳି ସଂଗିନ ଘଟଣା ଘଟୁଛି। ତେଣୁ ପୁଲିସ ମହାନିର୍ଦ୍ଦେଶକଙ୍କ ସ୍ତରରେ ମାମଲାର ତଦନ୍ତ କରାଯାଉ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏମିତି ଦାବି କରି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ଯାହାକୁ କମିସନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଫେବ୍ରୁଆରି ୨୧ତାରିଖ ଦିନ ଜବାବ ଦାଖଲ କରିବାକୁ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ।

ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ଡିସେମ୍ବର ମାସ ୧୩ତାରିଖ ଦିନ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାଟି ଅତ୍ୟନ୍ତ ସମ୍ଭେଦନଶୀଳ ହୋଇଥିବା ବେଳେ କଂଗ୍ରେସ ଦଳ ରାସ୍ତାକୁ ଓହ୍ଲାଇ ଜିଲ୍ଲା ବନ୍ଦ କରିଥିଲା। ରାଜନୈତିକ ବୟାନବାଜି ଯୋଗୁଁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ତେଣୁ ଚାପରେ ରହିଥିଲା ନବରଙ୍ଗପୁର ଜିଲ୍ଲା ପୁଲିସ। ଶେଷରେ ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ନାବାଳିକାଙ୍କୁ ହତ୍ୟା କରାଯାଇଥିଲା। ତେବେ ଦୁଷ୍କର୍ମ ହୋଇନଥିବା ନେଇ ପୁଲିସ ସଫେଇ ଦେଇଥିଲା।

ଅନ୍ୟପଟେ ଏହି ମାମଲାରେ ମାନବାଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ବାଲେଶ୍ବର ଜିଲ୍ଲାର ଆଇନବୀଜୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରାର୍ଥନା କରିବାରୁ ଗତ ଡିସେମ୍ବର ମାସ ୨୦ତାରିଖ ଦିନ ୪୨୩୧/୧୮/୧୦/୨୦୧୯ ରେ ମାମଲା ରୁଜୁ ହୋଇଛି। କମିସନ ମାମଲାର ଶୁଣାଣି ପାଇଁ ଗ୍ରହଣ କରି ଆସନ୍ତା ଫେବ୍ରୁଆରି ୨୧ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ନିର୍ଭୟା ନିୟମାବଳୀ ପାଳନ ହେଉନାହିଁ। ଏହି ମାମଲାରୁ ସ୍ପଷ୍ଟ ହେଉଛି, ରାଜ୍ୟ ପୁଲିସ ଓ ପ୍ରଶାସନର ବିଫଳତା ଯୋଗୁଁ ଏମିତି ଘଟଣା ଘଟୁଛି। ସେହିପରି ସାମାଜିକ ମଙ୍ଗଳ ଯୋଜନାରେ ରାଜ୍ୟର ସମସ୍ତ ଘରେ ପାଇଖାନା ନିର୍ମାଣ ହୋଇ ପାରିନାହିଁ। ଏହାଦ୍ବାରା ଲୋକଙ୍କ ମାନବାଧିକାର କ୍ଷୂଣ୍ଣ ହେଉଛି। ତେଣୁ ମାମଲାର ତଦନ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ସ୍ତରରେ କରିବାକୁ ସେ କମିସନଙ୍କ ନିକଟରେ ନିବେଦନ କରିଛନ୍ତି। ଏହା ବ୍ୟତୀତ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କମିସନଙ୍କୁ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe