ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ବହିଷ୍କୃତ ଆଇଆଇସିଙ୍କୁ ଏସ୍‌ଆଇଟିର ଜେରା

Advertisment
ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ବହିଷ୍କୃତ ଆଇଆଇସିଙ୍କୁ ଏସ୍‌ଆଇଟିର ଜେରା

ଆମ୍ବତୋଟାରେ ଲୁଚିଥିଲେ, ସାଙ୍ଗ ଜରିଆରେ ପହଞ୍ଚିଗଲା ପୁଲିସ
ଅଧିକ ତଥ୍ୟ ହାସଲ ପାଇଁ ରିମାଣ୍ଡରେ ଅଣାଯିବ: ଏସ୍‌ପି

କଟକ : ନାବାଳିକାଙ୍କୁ ଥାନାରେ ଦୁଷ୍କର୍ମ ମାମଲାରେ ଚାକିରିରୁ ବହିଷ୍କୃତ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ଗିରଫ ଏଡ଼ାଇବା ପାଇଁ ଅନୁଗୁଳର ବଇଣ୍ଡାରେ ଏକ ନୂଆ ଘର ଭଡ଼ା ନେଇ ରହୁଥିଲେ ଏବଂ ଆମ୍ବତୋଟାରେ ଲୁଚୁଥିଲେ। ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଯୋଜନା କାମ ଦେଲାନି। ତାଙ୍କର ଜଣେ କଲେଜ ବନ୍ଧୁଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ପୁଲିସ ସେହି ବନ୍ଧୁଙ୍କ ଜରିଆରେ ଆନନ୍ଦଙ୍କ ପାଖରେ ପହଞ୍ଚିଗଲା, ଆଉ ତାଙ୍କୁ ଗିରଫ କଲା।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ କ୍ରାଇମବ୍ରାଞ୍ଚ ଟେକନିକାଲ୍ ଟିମ୍ ଅନୁଗୁଳରୁ ଆନନ୍ଦଙ୍କୁ ଗିରଫ କରିବା ପରେ ରାତି ପ୍ରାୟ ୧ଟା ବେଳେ ବୀରମିତ୍ରପୁରରେ ପହଞ୍ଚିଥିଲା ଏବଂ ଆଜି ଦିନସାରା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଜେରା କରିଥିଲା। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁଯାୟୀ, ଆନନ୍ଦଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଥିବା ବେଳେ ଆଜି ଡାକ୍ତରୀ ମାଇନା ପରେ ରାତିରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି।

ଆନନ୍ଦଙ୍କ ବିରୋଧରେ ଜୁନ ୨୩ ତାରିଖରେ ରାଇବଗା ଥାନାରେ ମାମଲା ରୁଜୁ ପରେ ଗିରଫ ଭୟରେ ସେ ଫେରାର ହୋଇଯାଇଥିଲେ। ନିଜ ଗାଁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ପଳାଇ ଯାଇଥିଲେ। ଗଲା ସୋମବାର ରାତିରେ ଗାଁରେ ବନ୍ଧୁମାନଙ୍କ ସହିତ ଭୋଜି କରିଥିଲେ। ସେଠାରୁ ତାଙ୍କର ଜଣେ କଲେଜ ବନ୍ଧୁ ତାଙ୍କୁ ଗାଡ଼ିରେ ଆଣି ଅନୁଗୁଳ ଜିଲ୍ଲା ବଇଣ୍ଡା ଆଉଟପୋଷ୍ଟ ନିକଟସ୍ଥ ଏକ ଭଡ଼ାଘରେ ଛାଡ଼ିଥିଲେ। ଏହି ଭଡ଼ାଘର ବି ତାଙ୍କ ବନ୍ଧୁ ଠିକ୍ କରିଥିଲେ। ରାତିରେ ଆନନ୍ଦ ଭଡ଼ାଘରେ ରହୁଥିବାବେଳେ ଦିନ ସମୟରେ ବଇଣ୍ଡା ଆଉଟପୋଷ୍ଟ ନିକଟସ୍ଥ ଇଚ୍ଛାପୁର ଜଂଗଲ ଭିତରେ ଏକ ଆମ୍ବତୋଟାରେ ଲୁଚି ରହୁଥିଲେ। ତେବେ କ୍ରାଇମବ୍ରାଞ୍ଚ ଟେକନିକାଲ୍ ଟିମ୍ ମୋବାଇଲ୍ ଟ୍ରାକିଂ କରି ଆନନ୍ଦଙ୍କ ବନ୍ଧୁଙ୍କୁ ପ୍ରଥମେ ଠାବ କରିଥିଲା।

ସୂଚନା ଅନୁଯାୟୀ, ୧୩ ବର୍ଷର ନାବାଳିକାଙ୍କୁ ୩ ମାସ କାଳ ବୀରମିତ୍ରପୁରର ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ଦୁଷ୍କର୍ମ କରି ଗର୍ଭପାତ କରିବା ଘଟଣାରେ ରାଇବଗା ଥାନାରେ ଗତ ୨୩ ତାରିଖରେ ମାମଲା ରୁଜୁ ହୋଇଥିଲା। ଏବେ ସେହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି କରୁଥିବାବେଳେ ଶ୍ରୀ ମାଝିଙ୍କ ସମେତ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର, ମୁମ୍ବାଇରେ ରହୁଥିବା ବନ୍ଧୁ ସାଗର, ବୀରମିତ୍ରପୁରରେ ରହୁଥିବା ରୋହିତ, ଦିଲ୍ଲୀରେ ରହୁଥିବା ନାବାଳିକାଙ୍କ ସାବତ ବାପା ସମେତ ବୀରମିତ୍ରପୁରର ଆଉ ଜଣେ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଜେରା କରିବାକୁ ଉଦ୍ୟମ ଚଳାଇଛି।

ଉଲ୍ଲେଖଯୋଗ୍ୟ, ଯେ ଆନନ୍ଦ ଗିରଫ ଭୟରେ ୧ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ରାଇବଗା ଥାନାରେ ରୁଜୁ ହୋଇଥିବା ମାମଲା (କେସ୍ ନଂ ୪୧/୨୦୨୦) ଆଧାରରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ଜାମିନ ଆବେଦନର ଶୁଣାଣି ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe