ମାଲକାନଗିରି: ମାଲକାନଗିରିରେ ୨୦ରୁ ଊର୍ଦ୍ଧ୍ବ ସମାଜର ପ୍ରତିବାଦ। ସ୍ଥାନୀୟ ବସ୍ଷ୍ଟାଣ୍ଡରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ୩୨୬ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରି ରଖିଥିଲେ। କାଳିମେଳା ବ୍ଲକ ଏମ୍ଭି-୭୨ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ମାଲକାନଗିରିରେ ଏମିତି ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିଥିଲା। ସରକାର ଓ ପୁଲିସ ବିରୋଧରେ ହୁଙ୍କାର ଦେଇ ନ୍ୟାୟ ନ ମିଳିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।
ଫେବ୍ରୁଆରି ୬ତାରିଖ ଦିନ ଏମ୍ଭି-୭୨ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ନିଖୋଜ ହୋଇଥିଲେ। ଦିନକ ପରେ ଜଙ୍ଗଲରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଶ୍ବାସରୁଦ୍ଧ କାରଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହୁଛି। ଯାହାକୁ ଗ୍ରହଣ କରିବାକୁ ନାରାଜ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ସମାଜ। ୨ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଛି ବୋଲି ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଉଭୟଙ୍କ ପରିବାରକୁ ନ୍ୟାୟ ଦାବିରେ ଆନ୍ଦୋଳନ ଆରମ୍ଭ କରିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ନ୍ୟାୟ ସତ୍ୟାଗ୍ରହ ଚାଲିବ ବୋଲି ସମାଜ ପକ୍ଷରୁ କୁହାଯାଇଛି। ପୁଲିସ ନିକଟରେ ଅପରହଣ, ଗଣଦୁଷ୍କର୍ମ ଏବଂ ହତ୍ୟା ନେଇ ସମସ୍ତ ତଥ୍ୟ ରହିଛି। ତଥାପି ଘଟଣାକୁ ଚପାଇ ଦେବାକୁ ଭରପୂର ପ୍ରୟାସ କରୁଛି। ଚାପରେ ପଡ଼ି ପୁଲିସ ମିଛ ପ୍ରଚାର କରୁଛି। ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନିରପେକ୍ଷ ତଦନ୍ତ ନିମନ୍ତେ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଦୁଇ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଆନ୍ଦୋଳନରେ ଆଦିବାସୀ ମହାସଂଘ ରାଜ୍ୟ ସଭାପତି କର୍ମା ଲାକ୍ରା, ଶରତ ଚନ୍ଦ୍ର ବୁରୁଦା, ମନଶ୍ରୀ ଟାକ୍ରି, ଲଳିତ ମାଡକାମୀ, ବନ୍ଧୁ ମୁଦୁଲି, ମାଲା ମାଢି, ବଳରାମ ଅନୁଗୁଳିଆ, ଜାରାଶବର ମାଢି, ଘେନୁ ମୁଦୁଲି, ଇର୍ମା ପଡିଆମି, ମୁକୁନ୍ଦ ପଡିଆମି, ଏରା ପଡିଆମି, ସୁବାସ ବୁରୁଦା, କୃଷ୍ଣଚନ୍ଦ୍ର ଅନୁଗୁଙ୍କ ସହ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନର ନେତା ଓ କର୍ମୀ ସାମିଲ ଥିଲେ।
Follow Us