ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜୀବନ ଜୀବିକା ପାଇଁ ନାବାଳିକାମାନେ ଅଧାରୁ ପାଠ ପଢା ଛାଡି ଦାଦନ ଖଟିବାକୁ ବାହାର ଜିଲ୍ଲା ତଥା ଅନ୍ୟ ରାଜ୍ୟକୁ ଯାଉଥିବା ଦେଖା ଯାଇଛି। ମାତ୍ର ୧୦ ରୁ ୧୫ ବର୍ଷ ବୟସର ନାବାଳିକାମାନେ ମୂଲ ଲାଗିବାକୁ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ରହୁଛି। ସ୍ଥାନୀୟ ପୁଲିସ ତଥା ଶ୍ରମ ବିଭାଗ ତରଫରୁ କୌଣସି କଟକଣା ନ ଥିବାରୁ ଜୀବନକୁ ବାଜି ଲଗାଇ ନାବାଳିକାମାନେ ମୂଲ ଲାଗିବାକୁ ଘରୁ ବାହାରୁଛନ୍ତି।
ଏହି ଖବର ପଢ଼ନ୍ତୁ: ପୋଷାକ ପିଛା ବିଇଓଙ୍କ ପିସି ୮୦ ଟଙ୍କା
ତେବେ ଏଥିରେ ଦଲାଲମାନେ ମଧ୍ୟସ୍ଥି ସାଜି ନାବାଳିକାମାନଙ୍କୁ ଚାଲାଣ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଡାବୁଗାଁ ଥାନା ଅଞ୍ଚଳ ସିଉନା ଗୁଡା ଗ୍ରାମର ପ୍ରାୟ ନାବାଳିକାଙ୍କ ସମେତ ୧୫ ଜଣ ମହିଳା ଜଣେ ଦଲାଲ କଥାରେ ପଡି କଳାହାଣ୍ଡି ଜିଲ୍ଲାକୁ ଧାନ ଜମିରେ ମୂଲ ଲାଗିବା ପାଇଁ ବାହାରି ଥିଲେ। ୧୫ଜଣଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ରହିଥିବା ବେଳେ ସେମାନେ ନିଜ ଇଚ୍ଛାରେ ପରିବାର ପୋଷଣ ପାଇଁ ମୂଲ ଲାଗିବାକୁ ଯାଉଥିବା ଜଣା ପଡିଥିଲା।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର କଳା ଓ ସଂସ୍କୃତି ପୂରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି
ପାଠ ପଢୁଥିବା ନାବାଳିକାମାନେ ଘରର ଆର୍ଥିକ ସ୍ଥିତି ଖରାପ ଥିବା ସହ ଗାଁରେ କାମ ଧନ୍ଦା ନ ଥିବାରୁ ବାଧ୍ୟ ହୋଇ ମୂଲ ଲାଗିବାକୁ ବାହାର ଜିଲ୍ଲାକୁ ଯାଉଛନ୍ତି। ବିଭିନ୍ନ ସମୟରେ ଦାଦନ ଖଟିବାକୁ ବାହାର ଜିଲ୍ଲା କିମ୍ବା ରାଜ୍ୟରେ ଯାଉଥିବା ଶ୍ରମିକମାନେ ମଜୁରୀ ପାଉ ନ ଥିବା ବେଳେ ନିର୍ଯ୍ୟାତିତ ହୋଇ ଫେରୁଛନ୍ତି। ଏପରିକି ଶବ ହୋଇ ମଧ୍ୟ ଫେରୁଛନ୍ତି। ଯାହାର ଯଥେଷ୍ଟ ଉଦାହରଣ ଡାବୁଗାଁ ଥାନା ଅଞ୍ଚଳ ରେ ଘଟୁଛି।
ଜିଲ୍ଲା ଶ୍ରମ ବିଭାଗ ତରଫରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଥିଲେ ସୁଦ୍ଧା ଶ୍ରମ ବିଭାଗ ପକ୍ଷରୁ ସଚେତନ ଅଭାବ ସହ ନୀରବ ରହୁଥିବାରୁ ବିନା ପଞ୍ଜୀକରଣରେ ପ୍ରତିଦିନ ଜିଲ୍ଲାର କୋଣ ଅନୁକୋଣରୁ ଦଲାଲଙ୍କ ସହାୟତାରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ଦଲାଲମାନେ ଅତ୍ୟଧିକ ଟଙ୍କା ଲାଳସା ଦେଖାଇ ମହିଳାମାନଙ୍କୁ ଅଗ୍ରୀମ ଟଙ୍କା ଦେଇ ଚାଲାଣ କରୁଛନ୍ତି। ସର୍ବ ଶିକ୍ଷା ଅଭିଯାନରେ ମାଗଣା ପୋଷାକ, ଜୋତା,ଖାତା ଓ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିଲେ ସୁଦ୍ଧା ଡାବୁଗାଁ ଥାନା ଅଂଚଳରେ ଏବେ ପାଠ ପଢୁଥିବା କମ୍ ବୟସର ନାବାଳିକାମାନେ ବାହାରେ ମୂଲ ଲାଗିବାକୁ ଯାଉଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଦାଦନ ଚାଲାଣ ରୋକିବା ଦିଗରେ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଏହି ଖବର ପଢ଼ନ୍ତୁ: ୫ଟି ବର୍ଗରେ ପ୍ରମାଣପତ୍ର ଦେବ ସେନସର ବୋର୍ଡ