ହରିପୁର : ରସୁଲପୁର ବ୍ଲକ୍ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ସୁଭାଷ ବଳଙ୍କ ୧୬ ବର୍ଷର ପୁଅ ଲିପୁ ୪ ବର୍ଷ ଧରି କୋମାରେ ପଡ଼ିରହିଛନ୍ତି। ଏକ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ନବମ ଶ୍ରେଣୀ ଛାତ୍ର ଲିପୁଙ୍କର ଏପରି ଅବସ୍ଥା ହୋଇଛି। କୋମାରେ ଘରେ ପଡ଼ି ରହିଥିବା ପୁଅର ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ୪ବର୍ଷ ଧରି ଏହି ନାବାଳକ ଜଣକ ଘରେ ପଡ଼ିରହିଥିଲେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳିନାହିଁ। ପୁଅର ଜୀବନ ବଞ୍ଚାଇବା ଓ ତାକୁ ଭଲ କରିବା ପାଇଁ ଦିନ ମଜୁରିଆ ବାପା ସୁଭାଷ ଦିନରାତି ଏକ କରିଦେଇଛନ୍ତି।
ଅଭାବ ଅନଟନ ଭିତରେ ମୂଲମଜୁରି ଲାଗି ଯାହା ମିଳୁଛି ତାର ସିଂହଭାଗ ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି। ହେଲେ ପୁଅର ଉଚ୍ଚତର ଚିକିତ୍ସା ପାଇଁ ତାଙ୍କ ନିକଟରେ ସମ୍ବଳ ନାହିଁ। ଅନ୍ୟ ପିଲାଙ୍କ ପରି ଭଲହୋଇ ପୁଅ ଖେଳକୁଦ କରିବ ବୋଲି ଥିବା ସୁଭାଷଙ୍କ ଆଶା ଧୀରେଧୀରେ ମଉଳିବାକୁ ଲାଗିଛି। ପ୍ରକାଶ ଯେ, ୨୦୧୮ ମସିହାରେ ଓରାଳି ଗ୍ରାମର ସୂର୍ଯ୍ୟନାରାୟଣ ଉଚ୍ଚବିଦ୍ୟାଳୟର ନବମ ଶେଣୀ ଛାତ୍ର ଲିପୁ ଟିଉସନ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କୁଆଖିଆ-ହରିପୁର ରୋଡ୍ର ସାରଙ୍ଗପୁର ଛକରେ ଏକ ଇଣ୍ତିଗୋ କାର୍ ଲିପୁ ଓ ଅନ୍ୟଜଣେ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଅନ୍ୟ ଛାତ୍ରଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ଲିପୁ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା।
ହେଲେ ସଂପୂର୍ଣ୍ଣ ଆରୋଗ୍ୟ ନହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଅର୍ଥାଭାବରୁ ତାଙ୍କର ଅଧିକ ଚିକିତ୍ସା ହୋଇପାରିନଥିଲା। ଏବେ ସେ ଘରେ ପଡ଼ିରହିଛନ୍ତି। ସୁଭାଷଙ୍କ ପରିବାରରେ ପୁଅ ଲିପୁ, ୨ ଝିଅ, ମା’ ଓ ତାଙ୍କ ପତ୍ନୀ ରହିଛନ୍ତି। ମୂଲମଜୁରିରୁ ଯାହା ମିଳେ ସେଥିରେ ପରିବାର ଚଳାଇବା କଷ୍ଟକର ହେଉଛି। ସେଥିରେ ପୁଅର ଚିକିତ୍ସା ପାଇଁ ତାଙ୍କ ପରିବାର ଅସହାୟ ହୋଇ ପଡ଼ୁଛନ୍ତି। ଜିଲ୍ଲା ରେଡକ୍ରସରୁ ପୁଅର ଚିକିତ୍ସା ପାଇଁ ମାତ୍ର ୧୦ ହଜାର ଟଙ୍କା ମିଳିଛି। ପୁଅର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତିମାନେ ସହାୟତା ପ୍ରଦାନ କଲେ ପୁଅ ଭଲ ହୋଇପାରନ୍ତା ବୋଲି ସୁଭାଷଙ୍କ ପରିବାର ଗୁହାରି କରିଛନ୍ତି।
Follow Us