ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜଣେ ୧୩ ବର୍ଷର ନାବାଳକକୁ ଶ୍ରୀମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୋଗରେ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ସୁଦର୍ଶନ ମିଶ୍ର। ପୂଜାପଣ୍ଡା ନିଯୋଗ ପକ୍ଷରୁ ସଂସ୍କୃତି ଶିକ୍ଷା ଲାଭ କରୁଥିବା ପୀଡ଼ିତ ନାବାଳକକୁ ଏକୁଟିଆ ପାଇ ସେବାୟତଙ୍କ ସହଯୋଗୀ ଏକ ନିର୍ଜନ ସ୍ଥାନକୁ ଟାଣିନେଇ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି।
ଏପରିକି ପ୍ରାୟ ଦେଢ ମାସ ହେବ ଯାତ୍ରୀ ଗୁମାସ୍ତା ଜଣକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଗତ ମଙ୍ଗଳବାର ଦିନ ୧ଟାରେ ନାବାଳକ ଜଣକ ନିଳାଦ୍ରୀ ବିହାର ମ୍ୟୁଜିୟମ ନିକଟରେ ଥିବା ବେଳେ ଯାତ୍ରୀ ଗୁମାସ୍ତା ପୁଣି ଯୌନ ଶୋଷଣ କରିଥିଲେ। ଲୋକଲଜ୍ଜା ଓ ଭୟରେ କାହାକୁ କିଛି କହୁନଥିବା ନାବାଳକ ସୀମା ଟପିଯିବା ପରେ ଗତ ମଙ୍ଗଳବାର ସନ୍ଧ୍ୟାରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ।
ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତ ସୁଦର୍ଶନ ମିଶ୍ରଙ୍କୁ ଆଇପିସି ଧାରା ୩୭୭ ଓ ୫୧୧ ଧାରାରେ ମାମଲା ରୁଜୁ କରିବା ସହ ପୁଲିସ ଗିରଫ କରିଛି। ଶ୍ରୀକ୍ଷେତ୍ରରେ ଯୌନ ନିର୍ଯାତନା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ୨୦୨୧ ମସିହା ଡିସେମ୍ବର ୧୦ ତାରିଖରେ ଲକ୍ଷ୍ମୀମନ୍ଦିରର ସେବାୟତ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆଙ୍କୁ ବାନ୍ଧିଥିଲା ପୁରୀ ପୁଲିସ। ଜଣେ ୧୬ ବର୍ଷ ବୟସ୍କ ନାବାଳକକୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଲକ୍ଷ୍ମୀ ନାରାୟଣ ଖୁଂଟିଆଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ୨୦୨୧ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସ ଗିରଫ ହୋଇଥିଲେ। ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିବା ହାଇଦ୍ରାବାଦର ଜଣେ ନାବାଳିକାକୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us