E-Lottery System: ଇ-ଲଟେରିରେ ଲଘୁ ଖଣିଜ ଲିଜ୍: ୟୁନିଫର୍ମ ସେବା ଚୟନ ପରୀକ୍ଷା ପାଇଁ ସ୍ବତନ୍ତ୍ର ଆୟୋଗ

ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବୃଦ୍ଧି ପାଉଥିବା ନେଇ ରାଜ୍ୟର ବିଭିନ୍ନ ଆଡ଼ୁ ଗଦାଗଦା ଅଭିଯୋଗ ଆସୁଛି। ନିକଟରେ ହୋଇଥିବା ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।

mohan

Photograph: (The New Indian Express)

ଭୁବନେଶ୍ବର: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବୃଦ୍ଧି ପାଉଥିବା ନେଇ ରାଜ୍ୟର ବିଭିନ୍ନ ଆଡ଼ୁ ଗଦାଗଦା ଅଭିଯୋଗ ଆସୁଛି। ନିକଟରେ ହୋଇଥିବା ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ପାଦେ ଆଗକୁ ଯାଇ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ଲଘୁ ଖଣିଜ ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବ। ଏଥି ପାଇଁ ‘ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ (ଓଏମ୍ଏମ୍‌ସି ରୁଲ୍)’ରେ ସଂଶୋଧନ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ‌ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଇ-ଲଟେରି ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥ ମୂଲ୍ୟର ବର୍ତ୍ତମାନର ପରିସ୍ଥିତିକୁ ସମୀକ୍ଷା କରାଯାଇ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ନୂଆ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଓ କାର୍ଯ୍ୟକ୍ଷମତାକୁ ତ୍ବରାନ୍ବିତ କରିବା ସହ ଯୋଗାଣ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବ ଏବଂ ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ କରିବ। ଏହା ବାଦ୍ ଘରୋଇ ଜମି ଏବଂ ଇଡ୍‌କୋ ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛି। ଏହି ସଂଶୋଧନରେ ବେଆଇନ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ସହ ଏହାର ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି। 

ରାଜ୍ୟରେ ବେଆଇନ ଖଣିଜ ଖନନ ଓ ଚୋରା ଚାଲାଣ ରୋକିବା ସହ ଏହାର ସଂରକ୍ଷଣ, ବ୍ୟବସାୟ ଓ ପରିବହନକୁ ନିୟନ୍ତ୍ରଣ କରିବା ପାଇଁ ସରକାର ‘ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ, ୨୦୨୫ ପ୍ରଣୟନ କରିବେ। ପୂର୍ବରୁ ଥିବା ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ,୨୦୦୭କୁ ଉଚ୍ଛେଦ କରାଯିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ପାରିତ ହୋଇଛି। ୨୦୦୭ ନିୟମାବଳୀ ତୁଳନାରେ ନୂଆ ନିୟମାବଳୀ ଅଧିକ ପ୍ରଭାବଶାଳୀ ହେବ। ‘ବିକଶିତ ଓଡ଼ିଶା’ର ବୃହତ୍‌ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟବସାୟକୁ ସୁଗମ କରିବା ନିମନ୍ତେ ଖଣି ଲିଜ୍‌ଧାରୀଙ୍କୁ ଏକ ବାଧାମୁକ୍ତ ପରିବେଶ ଯୋଗାଇବାକୁ ଯୋଜନା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 

ୟୁନିଫର୍ମ ସେବା ଚୟନ ପରୀକ୍ଷା ପାଇଁ ସ୍ବତନ୍ତ୍ର ଆୟୋଗ
ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପରିମାଣ ବଢ଼ିଲା
ବେଆଇନ ଖଣି ଖନନ ଓ ଚୋରାଚାଲାଣ ରୋକିବାକୁ ନୂଆ ନିୟମ

Mines

ଓଡ଼ିଶା ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଛି। ଏସବୁ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଅସ୍ବାଭାବିକ ବିଳମ୍ବ ହେଉଛି। ଫଳରେ ଆଶାୟୀମାନେ ହତାଶ ହୋଇପଡ଼ୁଛନ୍ତି। ନିଯୁକ୍ତି ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ଲାଗି ‘ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ’ ନାମରେ ଏକ ସ୍ବତନ୍ତ୍ର ନିଯୁକ୍ତି ସଂସ୍ଥା ଗଠନ ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ଏହା ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିବ। ଗୃହ, ଅବକାରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପୁଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ଏହି ଆୟୋଗ ପରିଚାଳନା କରିବ। ଏଥି ପାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ,୨୦୨୫ ପ୍ରଣୟନ କରାଯିବ।

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପରିପ୍ରେକ୍ଷୀରେ ‘ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରାକ୍-ମାଟ୍ରିକ୍ ଓ ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି। ଏହି ପ୍ରସ୍ତାବ ଆଜି କ୍ୟାବିନେଟ୍ ଅନୁମୋଦନ ପାଇଛି। ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜାତି/ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଦାନ କରାଯାଉଥିବା ପ୍ରାକ୍-ମାଟ୍ରିକ୍ ଛାତ୍ରବୃତ୍ତି (ମେସ୍ ପରିଚାଳନା ନିମିତ୍ତ) ପରିମାଣ ବୃଦ୍ଧି କରାଯାଇଛି। ଛାତ୍ରମାନଙ୍କ ପାଇଁ ଏହି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କା ଏବଂ ଛାତ୍ରୀମାନଙ୍କ ପାଇଁ ୧୧ ହଜାର ଟଙ୍କାରୁ ୧୭ ହଜାର ଟଙ୍କାକୁ ବୃଦ୍ଧି ହୋଇଛି।

ଏହି ଛାତ୍ରବୃତ୍ତି ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଅନ୍ବେଷା ଛାତ୍ରାବାସରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍-ମାଟ୍ରିକ୍‌ ଛାତ୍ରବୃତ୍ତି ବାର୍ଷିକ ୧୧ ହଜାର ଟଙ୍କାରୁ ୧୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଦାନ କରାଯାଉଥିବା ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତିକୁ ମଧ୍ୟ ବୃଦ୍ଧି କରାଯାଛି। ବର୍ତ୍ତମାନ ସେମାନଙ୍କୁ ବାର୍ଷିକ ୧୧ ହଜାର ଟଙ୍କା ମିଳୁଥିଲା ବେଳେ ଏଣିକି ଛାତ୍ରଙ୍କୁ ୧୬ ହଜାର ଓ ଛାତ୍ରୀଙ୍କୁ ୧୭ ହଜାର ଟଙ୍କା ମିଳିବ। ଚଳିତ ଶିକ୍ଷାବର୍ଷର ଡିସେମ୍ବର ପହିଲାରୁ ଏହା ଲାଗୁ କରାଯିବ। ଓଡ଼ିଶା ଅର୍ଥସେବା ନିୟମାବଳୀ,୨୦୧୧ର ନିୟମ ୧୭ର ସଂଶୋଧନ, ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ‘ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭେୟର’ ବର୍ଗର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe