ଲଘୁ ଖଣିଜ କେଳେଙ୍କାରୀ: ଜାଲ୍‌ ୱାଇ-ଫର୍ମରେ କୋଟି କୋଟି ଲୁଟ୍

Advertisment
୨୦୨୧-୨୨: ଓଡ଼ିଶାକୁ ଖଣିରୁ ୪୯,୮୫୮.୮୭ କୋଟି ରାଜସ୍ବ

financialexpress.com

ଯାଜପୁର : ଲଘୁ ଖଣିଜ କେଳେଙ୍କାରୀରେ ମୁଖ୍ୟ ଅସ୍ତ୍ର ସାଜିଛି ଜାଲ୍‌ ୱାଇ ଫର୍ମ। ଏହି କାରଣରୁ ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଲୋକାୟୁକ୍ତଙ୍କ ଡାରେକ୍ଟର ଅଫ ଇନ୍‌କ୍ବାରି ଓ ଭିଜିଲାନ୍ସ ଦ୍ବାରା ଯଥାକ୍ରମେ ଆରୁହା ଓ ବିଛାଖଣ୍ଡି ପାହାଡ଼ ଲଘୁ ଖଣିଜ କେଳେଙ୍କାରୀର ତଦନ୍ତ ଚାଲିଥିବାବେଳେ କେନ୍ଦ୍ରବିନ୍ଦୁରେ ରହିଛି ତହସିଲ କାର୍ଯ୍ୟାଳୟ। ଖାଦାନ ଲିଜ୍‌ଧାରୀ, କ୍ରସରମାଲିକ ଓ ତହସିଲ କର୍ମଚାରୀଙ୍କ ଅସାଧୁମେଣ୍ଟ ଯୋଗୁଁ ୱାଇ ଫର୍ମ କେଳେଙ୍କାରୀ ଜୋରଦାର ଚାଲିଛି। ସରକାର ଯୋଗାଣ କରୁଥିବା ୱାଇ ଫର୍ମ ବ୍ୟତୀତ ଏହି ଅସାଧୁମେଣ୍ଟ ଜାଲ ୱାଇ ଫର୍ମ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ରୟାଲିଟି ହଡ଼ପ କରୁଛନ୍ତି। ଏପରିକି ଧର୍ମଶାଳା ତହସିଲ ସମେତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁନ୍ଦିଆ ତହସିଲରେ ହଜାର ହଜାର ୱାଇ ଫର୍ମର ହିସାବ ନାହିଁ। ଏହାକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଗଲେ ବହୁ କୋଟିର ମହଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।

ୱାଇ ଫର୍ମ କେଳେଙ୍କାରୀ ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଚାଲିଛି। ବିଶେଷକରି ଯେଉଁ କେତେକ ଲିଜ୍‌ଧାରୀଙ୍କର କ୍ରସର ସହିତ ଠିକା କାମ ଚାଲିଛି, ସେମାନଙ୍କ ଦ୍ବାରା ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଚର୍ଚ୍ଚା ହେଉଛି। ଯାଜପୁର ସହରର ଜଣେ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଏହି କ୍ଷେତ୍ରରେ ରେକର୍ଡ କରିଛନ୍ତି। ପୂର୍ତ୍ତ ବିଭାଗ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଜାଲ ୱାଇ ଫର୍ମରେ କୋଟି କୋଟି ଟଙ୍କା ରାଜସ୍ବ ଲୁଟ୍ ହୋଇଛି। ଧର୍ମଶାଳା ତହସିଲ ଓ ସୀମାନ୍ତରେ ଥିବା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ତହସିଲରେ ୱାଇ ଫର୍ମର ବ୍ୟାପକ ଜାଲ କାରବାର ସମସ୍ତ ସୀମା ଅତିକ୍ରମ କରିଛି। ଆରୁହା ପାହାଡ଼ରେ ଖନନ ଠାରୁ ଅଧିକ ପରିମାଣ ୱାଇ ଫର୍ମ ବ୍ୟବହାର ହୋଇଥିବା ଲୋକାୟୁକ୍ତ ତଦନ୍ତରେ ଧରାପଡ଼ିବାରୁ ଧର୍ମଶାଳା ତହସିଲ ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି। ଭିଜିଲାନ୍ସ ତଦନ୍ତ ଚାଲିଥିବା ବିଛାଖଣ୍ଡିରେ ଅନୁମତି ଠାରୁ ଶହେ ଗୁଣ ପଥର ଖନନ ହୋଇଥିବା ବେଳେ ବ୍ୟବହୃତ ହଜାର ହଜାର ୱାଇ ଫର୍ମ ଆସିଲା କେଉଁଠୁ? କେବଳ ବିଛାଖଣ୍ଡି କାହିଁକି ଡଙ୍କାରୀ, ରାହାଡ଼ପୁର, ବରଡ଼ା ସମେତ ପ୍ରାୟ ଅଧିକାଂଶ ଖାଦାନରେ ଜାଲ ୱାଇ ଫର୍ମ କାରବାର ଜୋର ଚାଲିଛି। ଏହି ୱାଇ ଫର୍ମ କେବଳ କଳାପଥର(ଗ୍ରାନାଇଟ) ଚୋରା ଓ ବେଆଇନ କାରବାରରେ ସୀମିତ ରହିନାହିଁ। ବାଲିଘାଟଗୁଡ଼ିକରେ ମଧ୍ୟ ଏହା ବ୍ୟାପକ ବ୍ୟବହାର ହେଉଛି। ଚୋରା ବାଲିଘାଟ ଓ ମାତ୍ରାଧିକ ବାଲି ଚୋରା ଚାଲାଣରେ ଜାଲ ୱାଇ ଫର୍ମ ଅସ୍ତ୍ର ସାଜିଛି।

ଏହାର ତଦନ୍ତ କରାଗଲେ ଯାଜପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଜାଲ ୱାଇ ଫର୍ମ ଛପା କାରବାର ଠାରୁ ଆରମ୍ଭ କରି ତହସିଲ ଜରିଆରେ ଲିଜ୍‌ଧାରୀ, କ୍ରସର ମାଲିକ ଓ ଠିକାଦାରଙ୍କ ଅସାଧୁ କାରବାର ଧରାପଡ଼ିବ ବୋଲି କେତେକ ବରିଷ୍ଠ ରାଜସ୍ବ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe