ଚର୍ଚ୍ଚାକୁ ଆସିଲା ‘ମିସା ବନ୍ଦୀ’ ପେନ୍‌ସନ୍‌: ଚିହ୍ନଟ ପ୍ରକ୍ରିୟା ଏବେ ବଡ଼ ଆହ୍ବାନ

ଜରୁରିକାଳୀନ ପରିସ୍ଥିତିରେ ମିସା ଆଇନ ବଳରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପେନ୍‌ସନ୍‌ ଦେବେ। ମିସା ବନ୍ଦୀମାନଙ୍କର ବହୁଦିନର ଦାବି ପରେ ସରକାର ତାହାକୁ ମାନି ନେଇଛନ୍ତି।

‘ନଗଦ ପେନ୍‌ସନ୍‌’ ନେଇ ବିବାଦ

ଭୁବନେଶ୍ବର: ଜରୁରିକାଳୀନ ପରିସ୍ଥିତିରେ ମିସା ଆଇନ ବଳରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପେନ୍‌ସନ୍‌ ଦେବେ। ମିସା ବନ୍ଦୀମାନଙ୍କର ବହୁଦିନର ଦାବି ପରେ ସରକାର ତାହାକୁ ମାନି ନେଇଛନ୍ତି। ବର୍ତ୍ତମାନ କିପରି ଭାବେ ମିସା ବନ୍ଦୀଙ୍କୁ ଚିହ୍ନଟ କରିବେ, ତାହା ସରକାରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। କାରଣ ମିସା ବନ୍ଦୀମାନଙ୍କ ନିର୍ଦ୍ଦିଷ୍ଟ ତାଲିକା ସରକାରଙ୍କ ପାଖରେ ନାହିଁ। କେଉଁ ବନ୍ଦୀମାନଙ୍କୁ କେତେ ପରିମାଣର ପେନ୍‌ସନ୍‌ ଦେବେ ଏବଂ ପରିବାର ପେନ୍‌ସନ୍‌ ମିଳିବ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। କେବଳ ମିସା ବନ୍ଦୀଙ୍କୁ ମିଳିବ ନା ଜରୁରିକାଳୀନ ପରିସ୍ଥିତି ସମୟରେ ଅନ୍ୟ ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀଙ୍କୁ ଏହି ପେନ୍‌ସନ୍‌ ମିଳିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଚିହ୍ନଟ ପ୍ରକ୍ରିୟା ଏବେ ବଡ଼ ଆହ୍ବାନ
ପରିବାର ପେନ୍‌ସନ୍‌ ମିଳିବ କି ନାହିଁ ସ୍ପଷ୍ଟ ହୋଇନି
ବିଶ୍ବଭୂଷଣ, ଅମର, ପ୍ରସନ୍ନ, ପଞ୍ଚାନନ ବି ହେବେ ହିତାଧିକାରୀ

୧୯୭୫ରୁ ୧୯୭୭ ମଧ୍ୟରେ ଜରୁରିକାଳୀନ ପରିସ୍ଥିତି ସମୟରେ ବହୁ ରାଜନୈତିକ ନେତା ଓ ଆନ୍ଦୋଳନକାରୀ ଗିରଫ ହୋଇଥିଲେ। ସେମାନଙ୍କୁ ମୁଖ୍ୟତଃ ମିସା, ଡିଆଇଆର୍, ଡିଆଇଏସ୍ଆଇଆର୍ ଆଇନ ବଳରେ ଗିରଫ କରାଯାଇଥିଲା। ବହୁ ଆଗଧାଡ଼ିର ରାଜନୈତିକ ନେତୃବୃନ୍ଦ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ୍ ଯାଇଥିଲେ। ସେହି ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରେ ପେନ୍‌ସନ ପ୍ରଦାନ କରାଯାଉଛି। ମୁଲାୟମ ସିଂହଯାଦବ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉତ୍ତରପ୍ରଦେଶରେ ଜରୁରିକାଳୀନ ପରିସ୍ଥିତି ସମୟର ବନ୍ଦୀମାନଙ୍କୁ ପେନ୍‌ସନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିହାରରେ ଲାଗୁ ହୋଇଥିଲା। କିଛି ବର୍ଷ ହେଲା ଯେଉଁ ରାଜ୍ୟରେ ବିଜେପି ସରକାର ଆସୁଛି, ସେଠାରେ ଏହି ବନ୍ଦୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଲାଗୁ ହେଉଛି। ତେବେ କଂଗ୍ରେସ ସରକାର ଆସିଲା ପରେ ତାହାକୁ ପ୍ରତ୍ୟାହାର କରିନେବାର ବି ନଜିର ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ସମୟରେ ପେନ୍‌ସନ ବନ୍ଦ କରିଦିଆଯାଇଥିଲା। ସେସବୁ ରାଜ୍ୟରେ ପୁଣି ବିଜେପି ସରକାର ଆସିଲା ପରେ ତାହାକୁ ପୁନର୍ବାର ଲାଗୁ କରାଗଲା। 
ଓଡ଼ିଶାରେ ବିଜେଡି ସରକାର ସମୟରେ ମିସା ବନ୍ଦୀଙ୍କୁ ପେନ୍‌ସନ ଦେବା ପାଇଁ ଦାବି ଜୋର୍‌ଦାର ହୋଇଥିଲା। ଲୋକତନ୍ତ୍ର ସେନାନୀ ସଂଘ ପକ୍ଷରୁ ଲଗାତାର ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୦୧୯ ମସିହାରେ ରାଜ୍ୟ ସରକାର ଦାବିକୁ ଗ୍ରହଣ କରି ସେମାନଙ୍କୁ ମଧୁ ବାବୁ ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କଲେ। ସେହି ସମୟରେ ମଧୁ ବାବୁ ପେନ୍‌ସନର ପରିମାଣ ଥିଲା ୫୦୦ ଟଙ୍କା। ଏହାକୁ ମିସା ବନ୍ଦୀମାନେ ଅଗ୍ରାହ୍ୟ କରିଦେଇଥିଲେ। ଏହା ସେମାନଙ୍କ ପ୍ରତି ଅସମ୍ମାନ ବୋଲି କହିଲେ। ଏହା ପରେ ରାଜ୍ୟ ସରକାର ଏହି ଘୋଷଣାକୁ ପ୍ରତ୍ୟାହାର କରି ନେଇଥିଲେ। ଅନ୍ୟ ରାଜ୍ୟ ଢାଞ୍ଚାରେ ପେନ୍‌ସନ ଲାଗୁ କରିବାକୁ ଆଉ କୌଣସି ଯୋଜନା ହେଲା ନାହିଁ। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିସା ବନ୍ଦୀଙ୍କୁ ୨୦ ହଜାର ଟଙ୍କାର ପେନ୍‌ସନ ଲାଗୁ କରାଯିବ ବୋଲି ଘୋଷଣା କଲେ। 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କେଉଁ ତରିକାରେ ଏହି ପେନ୍‌ସନ ପ୍ରଦାନ କରାଯିବ, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟ ରାଜ୍ୟରେ ଜେଲ୍ ଯିବାର ଅବଧିକୁ ବିଚାରକୁ ନେଇ ପେନ୍‌ସନ୍‌ ପରିମାଣ ଭିନ୍ନ ଭିନ୍ନ ରହିଛି। ଓଡ଼ିଶାରେ ସେହିପରି କରାଯିବ ନା ସମସ୍ତଙ୍କୁ ୨୦ ହଜାର ଟଙ୍କା ମିଳିବ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବ। ଜରୁରିକାଳୀନ ପରିସ୍ଥିତିର ବନ୍ଦୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ। ଏହା ପରେ ସରକାର ସେଗୁଡ଼ିକୁ ଯାଞ୍ଚ୍ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବେ। ସେହି ସମୟରେ ବିଭିନ୍ନ ଜେଲ୍‌ର ରେକର୍ଡପତ୍ରକୁ ଆଧାର କରି ଯାଞ୍ଚ୍ କରାଯିବ। ତେବେ କେତେ ଦିନ ଭିତରେ ଏସବୁ ପ୍ରକ୍ରିୟା ସାରି ପେନ୍‌ସନ ଲାଗୁ କରାଯିବ, ତାହା ସ୍ପଷ୍ଟ ହୋଇ ନାହିଁ। ଓଡ଼ିଶାରେ ମିସା ବନ୍ଦୀ ତାଲିକାରେ ବହୁ ବରିଷ୍ଠ ନେତା ଅଛନ୍ତି। ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଅମର ଶତପଥୀ ଓ ଶ୍ରୀକାନ୍ତ ଜେନା ପ୍ରମୁଖଙ୍କ ନାମ ଏଥିରେ ରହିଛି।  ପଞ୍ଚାନନ କାନୁନ୍‌ଗୋ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ବହୁ ଦିନରୁ ଦାବି ହେଉଥିଲା। ବହୁ ମିସା ବନ୍ଦୀ ବି ଦୁଃଖକଷ୍ଟରେ ଥିଲେ। ସରକାର ଏବେ ବିଚାର କରିଛନ୍ତି। ତେବେ ମୁଁ ବ୍ୟକ୍ତିଗତ ଭାବେ ଏହି ପେନ୍‌ସନ ନେବି ନାହିଁ। ଯେହେତୁ ପୂର୍ବତନ ବିଧାୟକ ଭାବେ ପେନ୍‌ସନ ନେଉଛି, ତେଣୁ ଏହାକୁ ନେବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe