କପି ଯାଞ୍ଚ ଆଳରେ ଅସଦାଚରଣ: ଜୀବନ ହାରିଲେ +୨ ଛାତ୍ରୀ, କଲେଜ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା ପୁଲିସ

ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ଜଣେ +୨ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଏଥିରେ ମାନସିକ ଆଘାତ ପାଇ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଛାତ୍ରୀଙ୍କ ମା’ କେନ୍ଦ୍ରାପଡ଼ା...

Dead

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ଜଣେ +୨ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଏଥିରେ ମାନସିକ ଆଘାତ ପାଇ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଛାତ୍ରୀଙ୍କ ମା’ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଆଜି ଏଭଳି ଅଭିଯୋଗ କରିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। ଏତଲା ପରେ ପୁଲିସ କଲେଜରେ ପହଞ୍ଚି ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୂଳଗାଇଁ ଗ୍ରାମର ଲକ୍ଷ୍ମୀପ୍ରିୟା ନାୟକଙ୍କ ଝିଅ ସୌମ୍ୟାଶାଶ୍ବତୀ ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ବିଭାଗରେ ପଢ଼ୁଥିଲେ। ଗତମାସ ୧୯ ତାରିଖ ଛାତ୍ରୀଙ୍କର ଫାଇନାଲ୍‌ ପରୀକ୍ଷା ଥିଲା। ସେ ପରୀକ୍ଷା ଦେବା ପାଇଁ କଲେଜରେ ପହଞ୍ଚିଥିଲେ। ଏହାପରେ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ସୌମ୍ୟାଙ୍କୁ ବାହାରକୁ ନେଇ ଶରୀରର ସମ୍ବେଦନଶୀଳ ସ୍ଥାନରେ ହାତ ମାରିଥିଲେ।

ସୌମ୍ୟା ପ୍ରତିବାଦ କରିବାରୁ ସେ ତାଙ୍କୁ ଏକ୍ସପେଲ୍‌ କରିବାକୁ ଧମକ ଦେବା ସହ କାହାରିକୁ ନ କହିବା ପାଇଁ ତାଗିଦ୍‌ କରିଥିଲେ। ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍‌ ପରେ ସେ ହଲ୍‌ରେ ପହଞ୍ଚିଥିଲେ। ମାନସିକ ଆଘାତ ପାଇବାରୁ ହଲ୍‌ରେ ସେ ପ୍ରବଳ କାନ୍ଦିବା ସହ ତାଙ୍କର ପରୀକ୍ଷା ପ୍ରଭାବିତ ହୋଇଥିଲା। ଘରକୁ ଫେରି ସେ ମା’ଙ୍କୁ ସବୁ କଥା କହିଥିଲେ। ପରୀକ୍ଷା ପାଇଁ ଅଧ୍ୟାପକ ଓ କଲେଜର ଅଧ୍ୟକ୍ଷ ବ୍ୟସ୍ତ ଥିବାରୁ ପରେ ଏହା ବୁଝିବେ ବୋଲି କହିଥିଲେ। ହେଲେ, ଗତ ୨୪ ତାରିଖ ଦିନ ସୌମ୍ୟା ନିଜ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ସେହିପରି ଛାତ୍ରୀ ମୃତ୍ୟୁ ଘଟଣା ପରେ ପୁଲିସ କଲେଜକୁ ଯାଇ ପ୍ରାରମ୍ଭିକ ତଦନ୍ତ କରିଥିଲା। ମାତ୍ର ଆଜି ସୌମ୍ୟାଙ୍କ ମା’ ଏ ନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କଲେଜରେ ପହଞ୍ଚି ଗତ ୧୯ ତାରିଖ ପରୀକ୍ଷା ସମୟର ସମସ୍ତ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି ବୋଲି ଆଇଆଇସି ଧୀରଜ ଲେଙ୍କା କହିଛନ୍ତି। ଏ ନେଇ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୂୟାଁଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ କୌଣସି ଅଭିଯୋଗ ପାଇ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe