Sambad
ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତମିଆଁ- ପାଟଣାଗଡ଼ ରାସ୍ତାରେ ତମିଆଁ ସରପଞ୍ଚ ତ୍ରିନାଥ ପୁଟେଲ (୪୦ବର୍ଷ)ଙ୍କ ଠାରୁ ୨୫ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତମାନେ। ଏନେଇ ଲରମ୍ଭା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା କରୁଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପାଟଣାଗଡ଼ ବ୍ଲକ୍ ତମିଆଁ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପୁଟେଲ ବୁଧବାର ତାଙ୍କ ଟ୍ରାକ୍ଟର ଇଷ୍ଟଲମେଣ୍ଟ ଟଙ୍କା ପୈଠ କରିବା ପାଇଁ ପାଟଣାଗଡ଼ ଯାଉଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ଘୁମେର ଛକର ଗଡ଼ାଣି ତଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ତ୍ରିନାଥ ଅଟକିବା ପରେ ପ୍ରଥମେ ତାଙ୍କ ସାର୍ଟର ଉପରପକେଟରେ ଥିବା ମୋବାଇଲ ଛଡ଼ାଇ ନେଇଥିଲେ। ପରେ ସେମାନେ ମାଡ଼ପିଟ କରିବା ସହ ତାଙ୍କ ପାଖରେ ଥିବା ୨୫ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ତ୍ରିନାଥ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି ଘୁମେର ଛକ ଗଡ଼ାଣି ତଳେ ଗତ ୧୩ ତାରିଖ ଦିନ ପ୍ରାୟ ୨ଟା ୩୦ ମିନିଟ ସମୟରେ ଅଏଁଲାତୁଙ୍ଗା ଗ୍ରାମର ଶେଳେନ୍ଦ୍ରୀ ସାହୁଙ୍କ ବେକରୁ ମଧ୍ୟ ଦୁର୍ବୃତ୍ତମାନେ ସୁନାହାର ଛିଣ୍ତାଇ ନେଇଥିଲେ।
Follow Us