Image Courtesy of India Today
ରିଆମାଳ : ଜଣେ ନାବାଳିକାକୁ ଅପହରଣ କରି ଘରେ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିବା ଅଭିଯୋଗରେ ରିଆମାଳ ପୁଲିସ ଜଣେ ଯୁବକକୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ରିଆମାଳ ଥାନା କାଦୋପଡା ଗ୍ରାମର କୃଷ୍ଣ ନାଏକଙ୍କ ପୁଅ ଅଜୟ ନାଏକ (୨୫)।
ପୁଲିସ ସୂଚନା ଅନୁଯାୟୀ ରେଢାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅଜୟ ଅପହରଣ କରି ନିଜ ଘରେ ବଳପୂର୍ବକ ରଖିଥିଲା। ବିବାହ କରିବାକୁ କହି ମାନସିକ, ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା। ବଳପୂର୍ବକ ଶାରୀରିକ ସଂପର୍କ ରକ୍ଷା କରୁଥିଲା। ଏପରିକି ଦେଢ଼ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲା। ଯୌତୁକ ନ ଆଣିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ବୋଲି ନବାଳିକା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଗତ ୪ ତାରିଖ ରାତିରେ ନାବାଳିକାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ ଛୁରିରେ ଆକ୍ରମଣ କରିଥିଲା। ଏଥିରେ ତାଙ୍କ ଡାହାଣ ହାତରେ ଗଭୀର କ୍ଷତ ରହିଥିବା ଜଣାପଡ଼ିଛି। ଜୀବନ ବିକଳରେ ନାବାଳିକା ଜଣେ ପଡୋଶୀଙ୍କ ପାଖରେ ଆଶ୍ରୟ ନେଇଥିଲେ। ପଡୋଶୀଙ୍କ ଫୋନ୍ରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ନାବାଳିକାଙ୍କ ବାପା ତାଙ୍କୁ ଉଦ୍ଧାର କରିବା ସହିତ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରିଆମାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଜୟକୁ ଗିରଫ କରିଥିଲା।
Follow Us