ପ୍ରତି ଗାଁ ବୁଲିବ ମିସନ ଶକ୍ତି ରଥ

Advertisment

ମହିଳାଙ୍କ ଭିତରେ ହେବ ପ୍ରତିଯୋଗିତା, ସମୁଦାୟ ୬୦ଟି ରଥ ପ୍ରଚାର କାର୍ଯ୍ୟରେ ନିୟୋଜିତ

ମହିଳାଙ୍କ ଭିତରେ ହେବ ପ୍ରତିଯୋଗିତା, ସମୁଦାୟ ୬୦ଟି ରଥ ପ୍ରଚାର କାର୍ଯ୍ୟରେ ନିୟୋଜିତ

ପ୍ରତି ଗାଁ ବୁଲିବ ମିସନ ଶକ୍ତି ରଥ

ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଗାଁ ଗାଁରେ ସଚେତନ କରାଯିବ। ଏମିତି ଉଦ୍ଦେଶ୍ୟ ରଖି ମିସନ ଶକ୍ତି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ନିଷ୍ପତ୍ତି ନେଇଛନ୍ତି ସରକାର। ଗାଁ ଗାଁରେ ମିସନ ଶକ୍ତି ରଥ ବୁଲିବ। ଏଥିପାଇଁ ଆଜି ସଚିବାଳୟରେ ୨୫ଟି ରଥକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇବା ପରେ ଏହା ଓଡ଼ିଶା ପରିକ୍ରମା କରିବା ଆରମ୍ଭ କରିଛି। ଏଥିସହିତ ମହିଳାମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା, ଅଡିଓ ଭିଡିଓ କାହାଣୀ ଓ ଗୋଷ୍ଠୀ ନେତ୍ରୀମାନଙ୍କର ସଫଳତାର ଅନୁଭୁତି ମଧ୍ୟ ପ୍ରସାରଣ କରାଯିବ। ସମୁଦାୟ ୬୦ଟି ରଥ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯିବ େବାଲି ସରକାରୀ ସୂତ୍ରରୁ ପ୍ରକାଶ। ଉଲ୍ଲେଖଥାଉକି, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସଂଗଠିତ କରି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ୨୦୦୧ ମାର୍ଚ୍ଚ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମିସନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୬ ଲକ୍ଷ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ମିସନଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେମାନଙ୍କ ଭିତରୁ ୩୦ ଲକ୍ଷ ମହିଳା ନୂତନ ସଦସ୍ୟ ଅଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ଏବଂ ମିସନଶକ୍ତି ବିଭାଗ ଅଧୀନରେ ୨୦୧୭ ମସିହାରୁ ଏକ ସ୍ବତନ୍ତ୍ର ମିସନଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ମହିଳାମାନଙ୍କର ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ ମିସନଶକ୍ତିର ମୂଳ ଲକ୍ଷ୍ୟ।ମିସନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ପ୍ରତ୍ୟେକ ପଞ୍ଚାୟତରେ ମିସନଶକ୍ତି ଗୃହ ନିର୍ମାଣ, ନୂତନ ଭାବେ ଗଠିତ ମିସନଶକ୍ତି ଗୋଷ୍ଠୀମାନଙ୍କୁ ସିଡ୍ ମନି ଦ୍ବାରା ୩୦ ଲକ୍ଷ ସଦସ୍ୟାଙ୍କୁ ସହାୟତା ପ୍ରଦାନ କରାଯାଇଛି। ସେହିପରି ଡିଜିଟାଲ ସଶକ୍ତିକରଣ ନିମନ୍ତେ ଆର୍ଥିକ ସହାୟତା ଦେବା ସହ ପ୍ରତି ବ୍ଲକସ୍ତରୀୟ ସଂଘମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏହି ସମସ୍ତ ସୁବିଧା ଯେପରି ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ମହିଳା ଗୋଷ୍ଠୀମାନଙ୍କୁ ଉପଲବ୍ଧ ହେବ ସେଥିପାଇଁ ସରକାର ମିସନ ଶକ୍ତି ଜରିଆରେ ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ ଅନୁ ଗର୍ଗ, ମିସନ ଶକ୍ତି ନିର୍ଦ୍ଦେଶିକା ତଥା କମିସନର ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe