କରୋନା ରିପୋର୍ଟରେ ବିଭ୍ରାଟ : ୨୦ ଆକ୍ରାନ୍ତ ଗଲେ କୁଆଡ଼େ?

Advertisment
କରୋନା ରିପୋର୍ଟରେ ବିଭ୍ରାଟ : ୨୦ ଆକ୍ରାନ୍ତ ଗଲେ କୁଆଡ଼େ?

WebMD

ବରଗଡ଼: କରୋନା ଦୈନିକ ରିପୋର୍ଟକୁ ଅତି ଖାମଖିଆଲି ଭାବେ ପ୍ରସ୍ତୁତ କରାଯାଉଛି। ଏହାର ନମୁନା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ଶୁକ୍ରବାର ଜିଲ୍ଲ‌ାରେ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ୨୦ଜଣ କେବଳ ସରଲା ଗାଁ (ବରଗଡ଼ ବ୍ଲକ୍‌)ରୁ ଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଗଲା। ଏହି ଖବର ପ୍ରଚାର ହେବା ପରେ ଗାଁରେ ଭୟ ସୃଷ୍ଟି ହୋଇଥିଲା। ଗାଁକୁ କନ୍‌ଣ୍ଟେନମେଣ୍ଟ ଜୋନ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ ହେଲା। ଡାକ୍ତରୀ ଦଳ ପ୍ରଥମେ ଗାଁକୁ ଯାଇ ଆକ୍ରାନ୍ତଙ୍କ ଖବର ନେବାକୁ ଚେଷ୍ଟା କରିଥିଲେ। ଘରଘର ବୁଲି ତନାଘନା ହେଲା।

ଏପରିକି ଅଂଗନବାଡ଼ି ଦିଦି ଏବଂ ସରପଞ୍ଚଙ୍କୁ ନେଇ ଆକ୍ରାନ୍ତଙ୍କ ସଂପର୍କରେ ଖବର ନେବାକୁ ଚେଷ୍ଟା କରାଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ୨୦ଜଣ ଆକ୍ରାନ୍ତଙ୍କ ତାଲିକା ସରକାରୀ ଭାବେ ପ୍ରକାଶ ପାଇଥିଲା, ସେହି ନାମରେ ଗାଁରେ ଜଣେ ବି ବ୍ୟକ୍ତି ନାହାନ୍ତି। ସରପଞ୍ଚ କିମ୍ବା ଗାଁର କୌଣସି ଲୋକ ସେମାନଙ୍କୁ ଜାଣନ୍ତି ନାହିଁ। ଅଂଗନବାଡ଼ି ଦିଦିଙ୍କ ଖାତା ତନାଘନା କଲା ପରେ ବି କିଛି ପତ୍ତା ମିଳିଲାନାହିଁ। ଦୁଇ ଦୁଇ ଥର ଡାକ୍ତରୀ ଟିମ୍‌ ଗାଁକୁ ଯାଇଥିଲେ ହେଁ ଆକ୍ରାନ୍ତଙ୍କ ପତ୍ତା ପାଇନାହାନ୍ତି। ଏଣେ ଗାଁରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଗାଁର ଦୋକାନ ବଜାର ବନ୍ଦ ରହିଛି। କୌଣସି ବାହାର ଲୋକ ଗାଁକୁ ଯାଉନାହାନ୍ତି। ଗାଁର ଲୋକଙ୍କୁ ସହର ଭିତରକୁ ଆସିବାକୁ ବାରଣ କରାଯାଉଛି। ଗାଁରୁ କଟା ହୋଇଥିବା ପନିପରିବା ବି ବଜାରକୁ ଆସିପାରୁନାହିଁ। ତେବେ ଏଭଳି ବିଭ୍ରାଟ କାହିଁକି ହେଲା, ସେନେଇ ପ୍ରଶାସନ ପାଖରେ କିଛି ଜବାବ ନାହିଁ। ବରଂ ମାମଲାକୁ ଅତି ହାଲୁକା ଭାବେ ଗ୍ରହଣ କରାଯାଉଛି। ଏଭଳି ସ୍ଥିତିରେ କରୋନା ମୁକାବିଲା କେଉଁ ଦିଗରେ ଯାଉଛି ତାହା ସ୍ପଷ୍ଟ ଅନୁମେୟ। ଏନେଇ ଏଡିଏମ୍‌ ମିର୍ଦ୍ଧା ଟପ୍ପୋଙ୍କ ମତାମତ ଲୋଡ଼ାଯିବାରୁ, ସେ କିଛି ସ୍ପଷ୍ଟ ସୂଚନା ଦେଇ ପାରିନଥିଲେ। ଅନ୍ୟପକ୍ଷ‌େରେ ‌ଯେଉଁ ୨୦ଜଣ ଆକ୍ରାନ୍ତଙ୍କ ମୋବାଇଲ ନମ୍ବର ପରୀକ୍ଷା ସମୟରେ ଲିପିବଦ୍ଧ କରାଯାଇଛି, ତାହା ବି ନକଲି ନମ୍ବର ବୋଲି ଜଣାପଡ଼ୁଛି। କିଛି ବ୍ୟକ୍ତି ନାମ ଏବଂ ଠିକଣା ସହ ମୋବାଇଲ୍‌ ନମ୍ବର ଭୁଲ୍‌ ଦେଇ କରୋନା ପରୀକ୍ଷା କରାଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ଯୁକ୍ତିର ପ୍ରମାଣ କାହାରି ପାଖରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe