ଖାଲିହୋଇଯିବ ଏମ୍‌କେସିଜି ରକ୍ତଭଣ୍ଡାର: ଦୈନିକ ଆବଶ୍ୟକ ଶହେ ୟୁନିଟ୍‌, ଷ୍ଟକ୍‌ ୩୫ ତଳେ

Advertisment
ଅନୁଗୁଳ ରକ୍ତଭଣ୍ଡାରରେ ରକ୍ତ ଅଭାବ: ଦୈନିକ ୪୦ରୁ ୫୦ ୟୁନିଟ୍‌ ରକ୍ତ ଆବଶ୍ୟକ

FDA

ବ୍ରହ୍ମପୁର: ଖରାଦିନ ଆସିବା କ୍ଷଣି ଏମ୍‌କେସିଜି ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦେଖା ଦେଇଛି। ସାଧାରଣ ଦିନରେ ଶହଶହ ୟୁନିଟ୍‌ ଗଚ୍ଛିତ ରହୁଥିବା ବେଳେ ବର୍ତ୍ତମାନ ଷ୍ଟକ୍‌ ୩୨କୁ ଖସି ଯାଇଛି। ପରିସ୍ଥିତି ଏମିତି ହୋଇଛି ଯେ ରକ୍ତଭଣ୍ଡାରରେ ନେଗେଟିଭ୍‌ ଗ୍ରୁପ୍‌ ପୂରା ଖାଲି ହେବାକୁ ବସିଲାଣି। ଏଣୁ ନେଗେଟିଭ୍‌ ଗ୍ରୁପ୍‌ ରୋଗୀ ରକ୍ତ ନପାଇ ଅସୁବିଧାର ସମ୍ମୁଖୀନ ହେବା ନେଇ ଆଶଙ୍କା କରାଯାଉଛି। ଏମ୍‌କେସିଜି ଡାକ୍ତରଖାନା ରକ୍ତଭଣ୍ଡାରରୁ ଦୈନିକ ହାରାହାରି ପ୍ରାୟ ଶହେ ୟୁନିଟ୍‌ ରକ୍ତ ରୋଗୀଙ୍କ ପାଇଁ ଦିଆଯାଉଛି। ଏବେ ରକ୍ତର ଘୋର ଅଭାବ ରହିଥିରୁ ଜଟିଳ ପରିସ୍ଥିତି ଦେଖା ଦେଇଛି। ଫଳରେ ଯେଉଁମାନେ ରକ୍ତ ନେଉଛନ୍ତି, ସେମାନଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦେବାକୁ ଅନୁରୋଧ କରାଯାଉଛି। ଫଳରେ ଏକ୍ସଚେଞ୍ଜ୍‌ ଜରିଆରେ ବର୍ତ୍ତମାନ ରକ୍ତଭଣ୍ଡାର ଚାଲିଛି।

ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ରକ୍ତର ବିକଳ୍ପ ନାହିଁ, ଶିବିର ଜରିଆରେ ହିଁ ରକ୍ତ ସଂଗ୍ରହ କରାଯାଉଛି। ରୋଗୀଙ୍କ ସହିତ ବିଭିନ୍ନ ପ୍ରକାର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ପ୍ରତିମାସରେ ରକ୍ତ ଦିଆଯାଇଥାଏ। ଏମ୍‌କେସିଜି ରକ୍ତଭଣ୍ଡାରରୁ ୫ଶହରୁ ଊର୍ଦ୍ଧ୍ବ ଥାଲାସେମିଆ, ସିକିଲ୍‌ସେଲ୍‌ ଓ ହେମୋଫିଲିଆ ରୋଗୀ ପ୍ରତି ମାସରେ ରକ୍ତ ନେଇଥାନ୍ତି। ସେହିପରି ଓଟି, ପ୍ରସୂତି ବିଭାଗ ସହିତ ଦୁର୍ଘଟଣା ସମୟରେ ଗୁରୁତରଙ୍କୁ ତୁରନ୍ତ ରକ୍ତ ଦେବା ବ୍ୟବସ୍ଥା କରାଯାଇଛି। ଏଣୁ ପ୍ରତିଦିନ ଏଭଳି ରୋଗୀଙ୍କୁ ପ୍ରାୟ ୬୦/୬୫ ୟୁନିଟ୍‌ ରକ୍ତ ଦିଆଯାଉଛି। ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ କ୍ରମେ ଇନ୍‌ଡୋର୍‌ ରୋଗୀଙ୍କୁ ମଧ୍ୟ ରକ୍ତ ଦିଆଯାଇଥାଏ। ଏଣୁ ଦୈନିକ ପ୍ରାୟ ଶହେ ୟୁନିଟ୍‌ ରକ୍ତ ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ଯେଉଁମାନେ ରକ୍ତ ନେଉଛନ୍ତି ସେମାନଙ୍କୁ ଗୋଟିଏ ୟୁନିଟ୍‌ ରକ୍ତଦାନ କରିବାକୁ କୁହାଯାଉଥିବା ବଡ଼ ଡାକ୍ତରଖାନାର ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି। ରକ୍ତ ଅଭାବ ସମସ୍ୟା ଦୂର ପାଇଁ ଏମ୍‌କେସିଜି ମେଡିକାଲ କଲେଜର ଛାତ୍ର ଏବଂ ବିଭିନ୍ନ ବିଭାଗ ତରଫରୁ ଶିବିର ଆୟୋଜନ କରାଯିବ। ବିଭିନ୍ନ ସମୟରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମଧ୍ୟ ସ୍ବଇଚ୍ଛାରେ ରକ୍ତଦାନ କରୁଛନ୍ତି। ସେହିପରି ସାଧାରଣ ଜନତା ମଧ୍ୟ ଖରାଦିନରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗ କରିବାକୁ ଅଧୀକ୍ଷକ ପ୍ରଫେସର ଦାଶ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe