ବଡ଼ ମେଡିକାଲ ବଡ଼ ଗୁମର କଥା : ପ୍ରେସ୍‌କ୍ରିପ୍‌ସନ୍‌ରେ ରହୁନି କ୍ୟାପିଟାଲ୍‌‌‌ ଲେଟର୍‌, ଚିଟ୍‌ରେ ଲେଖୁଛନ୍ତି ବାହାର ଔଷଧ

Advertisment
ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

Collegedunia

ବ୍ରହ୍ମପୁର: ଲୋକଙ୍କୁ ଉତ୍ତମ ଚିକିତ୍ସା ଦେବା ପାଇଁ ସରକାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣୁଛନ୍ତି। ମାଗଣା ଚିକିତ୍ସା ଠାରୁ ଆରମ୍ଭ କରି ମାଗଣା ଔଷଧ ପ୍ରଦାନ କରାଯାଉଛି। ଓପିଡ଼ିରେ ସେବା ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି। କିନ୍ତୁ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ରେ କ'ଣ ଲେଖୁଛନ୍ତି ରୋଗୀ କିମ୍ବା ସମ୍ପର୍କୀୟ ପଢ଼ିପାରୁ ନାହାନ୍ତି। ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡାକ୍ତରମାନ‌େ କ୍ୟାପିଟାଲ୍‌ ଲେଟର୍‌ରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଏହାକୁ ଖୋଲାଖୋଲି ଭା‌ବେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏଥିସହ ନିରାମୟରେ ମାଗଣା ଔଷଧ ଲେଖିବା ବଦଳରେ ଚିଟ୍‌ରେ ବାହାରୁ ଔଷଧ ଆଣିବା ପାଇଁ ଲେଖୁଥିବା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

publive-image

ରୋଗୀ ଦେଖିବା ସୟମରେ ଡାକ୍ତର ପ୍ରେସ୍‌କ୍ରିପସନ୍‌ରେ କ୍ୟାପିଟାଲ୍‌ ଲେଟରରେ ଲେଖିବା ପାଇଁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନି‌ର୍ଦ୍ଦେଶ ଦେଇଛନ୍ତି। ଏହାପରେ ସମସ୍ତ ସରକାରୀ ଡାକ୍ତରଖାନାକୁ ମଧ୍ୟ ଏନେଇ ଚିଠି କରାଯାଇଛି। କିନ୍ତୁ ନିର୍ଦ୍ଦେଶ ତା' ବାଟରେ ରହିଛି ଓ ଔଷଧ ଲେଖା ଅନ୍ୟ ବାଟରେ ରହିଛି। କିଛି ଡାକ୍ତର ପୂର୍ବଭଳି ଚିରାଚରିତ ଢ଼ଙ୍ଗରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁଛନ୍ତି। ଆଉ କିଛି ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌ରେ କ'ଣ ଲେଖିଛନ୍ତି କିଛି ପଢ଼ି ହେଉନାହିଁ। ପ୍ରେସ୍‌କ୍ରିପ୍‌ସନ୍‌ରେ ଔଷଧର ପ୍ରଥମ ଅକ୍ଷର କ୍ୟାପିଟାଲ୍‌ ରହିଥିବା ବେଳେ ବଳକା ସମସ୍ତ ଅକ୍ଷର ଛୋଟ ଅକ୍ଷର ରହୁଛି। ଏଥିସହ ନିରାମୟରେ ରହୁଥିବା ଔଷଧ ଲେଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଳନ ହେଉନାହିଁ। କିଛି ଡାକ୍ତର ବାହାରୁ ଔଷଧ ଆଣିବା ପାଇଁ ଚିଟ୍‌ରେ କେତେକ ଔଷଧର ନାମ ଲେଖୁଛନ୍ତି। ଯାହାଫଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ନିରାମୟରେ ଔଷଧ ଆଣିବା ପାଇଁ ଖରାରେ ଧାଡ଼ିରେ ଠିଆ ହେଉଛନ୍ତି। ସେହି ଔଷଧ ନିରାମୟରେ ଅଛି କି ନାହିଁ ତାହା ମଧ୍ୟ ଲୋକଙ୍କୁ ଜଣା ନାହିଁ। ଧାଡ଼ିରେ ଠିଆ ହୋଇ କାଉଣ୍ଟର୍‌ ପାଖକୁ ଗଲେ କାହାକୁ ଔଷଧ ମିଳୁଛି ତ ଆଉ କେଉଁ ଔଷଧ ନଥିବା ଉତ୍ତର ମିଳୁଛି। ଫଳରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବା ବୃଥାରେ ଯାଉଛି। ଏଭଳି ସ୍ଥିତିରେ ରୋଗରୁ ଭଲ ହେବା ଆଶାରେ ଲୋକେ ବାହାରୁ ଔଷଧ ଆଣୁଛନ୍ତି। ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏଥିରେ ସୁଧାର ଆସିପାରୁ ନାହିଁ। ଏମ୍‌କେସିଜି ମେଡିକାଲ୍‌ର ଅଧୀକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ପ୍ରେସ୍‌କ୍ରିପସନ୍‌ରେ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ପାଇଁ ଚିଠି କରାଯାଇଛି। ଏଥିସହ ନିରାମୟରେ ଥିବା ‌ଔଷଧ ଲେଖିବା ପାଇଁ କୁହାଯାଇଛି। କିନ୍ତୁ ଏଥିରେ ଉଲ୍ଲଂଘନ ହେଲେ ତାହା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।
ସେମାନେ ଯାହା କହନ୍ତି…(ଫଟୋ)

ଶିବରାମ ମହାରଣା, ରୋଗୀ
ଗୋଡ଼ରେ ଆଘାତ ହୋଇଥିବାରୁ ଚିକିତ୍ସା ପାଇଁ ଆସିଥିଲି। ମାଗଣାରେ ଏକ୍ସରେ ବା‌ହାର କରିଲି। ଏହାପରେ ଡାକ୍ତର ପ୍ରେସ୍‌କ୍ରିପସନ୍‌ରେ କଣ ଲେଖିଛନ୍ତି ତାହା ସଠିକ୍ ଭାବେ ଜଣାପଡ଼ୁନାହିଁ। ଏଥିସହ ପଛପଟେ ବାହାରୁ ଔଷଧ ଆଣିବା ପାଇଁ ଲେଖିଛନ୍ତି। ନିରାମୟରୁ କିଛି ଔଷଧ ଆଣିଥିବା ବେଳେ ବାହାରୁ ମଧ୍ୟ ଔଷଧ କିଣିଛି।

ଅମିତ୍ କୁମାର ସାହୁ, ରୋଗୀ
ଛାତିରେ ଯନ୍ତ୍ରଣା ହେବାକୁ ମେଡ଼ିକାଲକୁ ଆସିଥିଲି। ଡାକ୍ତର ପ୍ରେସ୍‌କ୍ରିପସନ୍‌ରେ ଦୁଇଟି ଔଷଧ ଲେଖିଥିବା ବେଳେ ୨ଟି ଔଷଧ ବାହାରୁ ଆଣିବା ପାଇଁ ଛୋଟିଆ କାଗଜରେ ଅଲଗା ଲେଖିଥିଲେ। କଣ ଲେଖିଛନ୍ତି ପଚାରିଲେ ଔଷଧ କେନ୍ଦ୍ରରେ ସେମାନେ ଜାଣିଯିବେ କହୁଛନ୍ତି। ନିରାମୟ କେନ୍ଦ୍ର ସମ୍ମୁଖରେ ଘଣ୍ଟାଏ ଧାଡ଼ିରେ ଠିଆ ହେଲି, କିନ୍ତୁ ଗୋଟିଏ ଔଷଧ ମିଳିଲା। ବାକି ଔଷଧ ୫୫୦ ଟଙ୍କା ଦେଇ ବାହାରୁ କିଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe