ଭୁବନେଶ୍ୱର: ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ସୋମବାର ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ସେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା। ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ।ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ।
ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍ ପଡ଼ିଛି। ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ହାସଲ କରିଛନ୍ତି।
ସୋମବାର ଶପଥ ଗ୍ରହଣ କରିବେ ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା
Advertisment
Follow Us