ବିଧାୟକ ବ୍ରଜ ପ୍ରଧାନଙ୍କ କାର୍‌ ପୋଡ଼ିଦେଲେ ଦୁର୍ବୃତ୍ତ, ସୁରକ୍ଷା ଦାବିରେ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ

ବିଧାୟକ ବ୍ରଜ ପ୍ରଧାନଙ୍କ କାର୍‌ ପୋଡ଼ିଦେଲେ ଦୁର୍ବୃତ୍ତ, ସୁରକ୍ଷା ଦାବିରେ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ

ତାଳଚେର : ଗତ ରାତିରେ କେହି ଦୁର୍ବୃତ୍ତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍‌ ପୋଡ଼ି ଦେଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନଙ୍କ ନନ୍ଦିରାସ୍ଥିତ କ୍ୟାମ୍ପ ଅଫିସ୍‌ ପରିସରରେ ଥିବା ତାଙ୍କ ଫର୍‌ଚ୍ୟୁନର କାର୍‌ ସାଂଗକୁ ପାଖରେ ଥିବା ଏକ ଆମ୍ବୁଲାନ୍ସରେ ବି ନିଆଁ ଲଗାଇ ଦେଇଛନ୍ତି। ଶାସକ ଦଳର ଜଣେ ବିଧାୟକଙ୍କୁ ପୁଲିସ ସୁରକ୍ଷା ଦେଇପାରୁନଥିବା ସାଧାରଣରେ ଅଭିଯୋଗ ହୋଇଥିବାବେଳେ ବିଧାୟକଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନା ଅନୁସାରେ, ତାଳଚେର ବିଧାୟକ ଶ୍ରୀ ପ୍ରଧାନ ଶନିବାର ଦିନ ତାଙ୍କର ଜଣେ ସଂପର୍କୀୟଙ୍କ ଝିଅର ବିବାହ ଉତ୍ସବରେ ଯୋଗ ଦେବା ଲାଗି କର୍ଣ୍ଣପୁର ଗାଁକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୨ ଟାରେ ଫେରି ସେ ଭରତପୁର ପାଖ ନନ୍ଦିରାରେ ଥିବା ତାଙ୍କ କ୍ୟାମ୍ପ ଅଫିସ୍‌କୁ ଶୋଇବାକୁ ଯାଇଥିଲେ। ଗୋଟିଏ କୋଠରିରେ ବିଧାୟକ ଓ ଅନ୍ୟ କୋଠରିରେ ଗାଡ଼ିଚାଳକ ମାନସ ସାହୁ ଶୋଇଥିଲେ। ବାହାରେ ଏକ ଫର୍‌ଚ୍ୟୁନର୍‌ କାର୍‌(ଓଡି୩୩ଏଲ-୩୭୧୧) ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଆମ୍ବୁଲାନ୍ସ ଗାଡ଼ି ପାର୍କିଂ ଅଂଚଳରେ ରଖାଯାଇଥିଲା। ଉକ୍ତ କାର୍‌ଟି ଜ‌ିତେନ୍ଦ୍ରନାଥ ପଟ୍ଟନାୟକଙ୍କ ନାମରେ ରହିଥିବା ବେଳେ ବିଧାୟକ ଶ୍ରୀ ପ୍ରଧାନ ଏହାକୁ ବ୍ୟବହାର କରୁଥିଲେ। ରାତି ପ୍ରାୟ ୨ଟା ବେଳେ ବାଣ ଫୁଟିବା ଭଳି ଶବ୍ଦ ଶୁଣି ବିଧାୟକ ଉଠି ପଡ଼ି ବାହାରକୁ ଆସିବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ବାହାର ପଟୁ କବାଟର ଶିକୁଳି ଦେଇଥିବାରୁ ସେ ଆଉ ବାହାରି ପାରିନଥିଲେ। ପାଖ କୋଠରିରେ ଶୋଇଥିବା ଗାଡ଼ିଚାଳକ ମାନସଙ୍କୁ ଫୋନ କରି ବିଧାୟକ ଉଠାଇଥିଲେ। ମାନସଙ୍କ କୋଠରିର କବାଟ ବି ବାହାର ପଟୁ ବନ୍ଦ ଥିବାରୁ ସେ ମଧ୍ୟ ବାହାରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଅନ୍ୟ ଉପାୟ ନପାଇ ଶ୍ରୀ ପ୍ରଧାନ ଜଗନ୍ନାଥ କଲୋନିରେ ରହୁଥିବା ଜଣେ ଘନିଷ୍ଠ ସମର୍ଥକଙ୍କୁ ଫୋନ୍ କରିବା ପରେ ସେ ଆସି କବାଟ ଖୋଲିଥିଲେ। ସେତେବେଳକୁ କାର୍ ଓ ଆମ୍ବୁଲାନ୍ସ ଗାଡ଼ି ହୁତ୍‌ହୁତ୍‌ ହୋଇ ଜଳୁଥିଲା। ଏଥିରେ କାର୍‌ର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଆମ୍ବୁଲାନ୍ସ ବି ୬୦ ପ୍ରତିଶତ ପୋଡ଼ିଯାଇଥିଲା।

ଘଟଣା ସଂପର୍କରେ ଗାଡ଼ିଚାଳକ ମାନସ ସାହୁ ବିକ୍ରମପୁର ଥାନାରେ ଏତଲା ଦେଇଛନ୍ତି। ଖବର ପାଇ ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଂଚିଥିଲେ। ପୁଲିସ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ର ବି ସହାୟତା ନେଇଛି।

ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଧାୟକଙ୍କ ସମର୍ଥକମାନେ ଆଜି ଅନୁଗୁଳ ଏସ୍‌ପି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ବିଧାୟକ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ୧୬ ଡ‌ିସେମ୍ବରରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe