Advertisment

ସରପଞ୍ଚରୁ ବିଧାୟକ ପ୍ରାର୍ଥୀ: ବିଦ୍ୟାସ୍ମିତାଙ୍କ ଉପରେ ସୁନାକଳସ

Advertisment
ସରପଞ୍ଚରୁ ବିଧାୟକ ପ୍ରାର୍ଥୀ: ବିଦ୍ୟାସ୍ମିତାଙ୍କ ଉପରେ ସୁନାକଳସ

ବାଲେଶ୍ୱର: ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରେମୁଣା ବିଧାନସଭା ଆସନରୁ ବିଦ୍ୟାସ୍ମିତା ମହାଳିକଙ୍କ ନାଁ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ଘୋଷଣା ପରେ ନିଜକୁ ବିଶ୍ବାସ କରି ପାରିନଥିଲେ ବିଦ୍ୟାସ୍ମିତା ଓ ତାଙ୍କ ସ୍ବାମୀ ଅଜୟ ମହାଳିକ। ଭାବପ୍ରବଣ ହୋଇ ସ୍ବାମୀ-ସ୍ତ୍ରୀ ଦୁହେଁ କାନ୍ଦି ପକାଇଥିଲେ। ରେମୁଣା ବ୍ଳକ୍‌ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡସ୍ଥିତ ତାଙ୍କ ବାସଭବନରେ ଆଜି ଦିନତମାମ ଭିଡ଼ ଲାଗିଥିଲା। କର୍ମୀଙ୍କ ଗହଣରେ ବିଦ୍ୟାସ୍ମିତା ନିଜ ଗାଁରେ ଥିବା ଅଷ୍ଟଦଶଭୁଜା କନକଦୁର୍ଗା ପୀଠକୁ ଯାଇ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କ ଆଶିଷ ଲୋଡ଼ିଥିଲେ।

ବିଦ୍ୟାସ୍ମିତା ଏବେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଅଛନ୍ତି। ଯୁକ୍ତ ଦୁଇ ପାସ ପରେ ସେ ବିବାହ କରି ଯାଇଥିଲେ। ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ତାଙ୍କର ବେଶ ଆଧିପତ୍ୟ ରହିଥିବା ବେଳେ ସ୍ୱାମୀ ଅଜୟ ମହାଳିକ ବିଜେଡିର ଜଣେ ସକ୍ରିୟ ନେତା। ଅଜୟ ୨୦୧୨ରେ ଗନିପୁର ପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଅଜୟଙ୍କ ପତ୍ନୀ ବିଦ୍ୟାସ୍ମିତା ବିଜେଡି ସମର୍ଥନରେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଭାବେ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ବିଧାୟକ ସୁଧାଂଶୁ ପରିଡ଼ା ଦଳରୁ ବହିଷ୍କୃତ ହେବା ପରେ ଏହି ଆସନରେ ରେମୁଣା ଏନ୍‌ଏସି ଅଧ୍ୟକ୍ଷା ତନୁଜା ଗିରି, ସମିତିସଭ୍ୟ ଶାନ୍ତା ଦାସ, ସୁଜାତା ଦଣ୍ଡପାଟ, ଇଂ.ଗୌତମ ସେଠୀ, ବଂଶୀଧର ଦଳେଇ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଇଂ.ଦୀପକ ମଲ୍ଲିକଙ୍କ ସମେତ ୮ରୁ ଅଧିକ ଆଶାୟୀ ଟିକେଟ୍‌ ଦୌଡ଼ରେ ରହିଥିଲେ। ଅନ୍ୟପକ୍ଷରେ ବିଦ୍ୟାସ୍ମିତାଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ କରିବାକୁ ସରପଞ୍ଚ ସଂଘ ପକ୍ଷରୁ ବହୁ ପଞ୍ଚାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ବିଦ୍ୟାସ୍ମିତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ମାରିଛି ଦଳ। ବିଦ୍ୟାସ୍ମିତା କହିଛନ୍ତି, ମୋ ପରି ଜଣେ ସାଧାରଣ ଦଳିତ ମହିଳାଙ୍କୁ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆଗାମୀ ଦିନରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଉଦ୍ୟମ ଜାରି ରଖିବି। ଏହି ଆସନରେ ପୂର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ସୁଦର୍ଶନ ଯେନାଙ୍କୁ ପ୍ରାର୍ଥୀ କରିଛି। ତେଣୁ ନିର୍ବାଚନ ରଣାଙ୍ଗନରେ ଫାଇଦା ନେବାକୁ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ଏଠାରୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe