ବିଧାୟକ ଜଗଦ୍ଦେବଙ୍କ ଜାମିନ ଖାରଜ, ୨୩ ସୁଦ୍ଧା ଆତ୍ମସମର୍ପଣ କରିବେ

ବିଧାୟକଙ୍କ ନାଁରେ ରହିଛି ୧୨ ଅପରାଧିକ ମାମଲା

ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଉପରେ ଶୃଙ୍ଖଳା ଛାଟ: ପଟୁଆର ଓ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ବାତିଲ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଦୃଷ୍ଟିରୁ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ପ୍ରକାଶିତ ରାୟରୁ ଜଣାପଡ଼ିଛି।

ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ବିଚାରବିଭାଗୀୟ ହାଜତରେ ଥିବାବେଳେ ଯଦି ତାଙ୍କର କୌଣସି ମେଡିକାଲ ଚେକ୍-ଅପ୍ ବା ଚିକିତ୍ସା ଆବଶ୍ୟକ ପଡ଼େ ତେବେ ଜେଲ କର୍ତ୍ତୃପକ୍ଷ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ ଅନ୍ତରୀଣ ଜାମିନରେ ଥିବା ଶ୍ରୀଜଗଦ୍ଦେବଙ୍କୁ ମେ ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଥିରେ ଅବହେଳା ହୁଏ ତେବେ ନିମ୍ନ ଅଦାଲତରେ ତାଙ୍କୁ ହାଜର କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ୧୨ଟି ଅପରାଧିକ ମାମଲା ରହିଛି। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାବେଳେ ଯଦି ଜାମିନରେ ଛାଡ଼ ପାଆନ୍ତି, ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦୨୧ମସିହାରେ ବାଲୁଗାଁ ଥାନା ମାମଲାରେ ଜାମିନ ପ୍ରଦାନବେଳେ ଶ୍ରୀ ଜଗଦ୍ଦେବ ଆଉ କୌଣସି ପ୍ରକାର ଅପରାଧିକ କାର୍ଯ୍ୟକାଳାପରେ ସଂପୃକ୍ତ ହେବେନାହିଁ ବୋଲି ସର୍ତ୍ତାରୋପ କରାଯାଇଥିଲା। କିନ୍ତୁ, ଏହି ସର୍ତ୍ତ ଉଲ୍ଲଂଘନ କରି ଗତ ପଞ୍ଚାୟତ ନିର୍ବାଚନ ସମୟରେ ସେ ଦୁଇଟି ଅପରାଧିକ ମାମଲାରେ ସଂପୃକ୍ତ ହୋଇଥିଲେ। ଏହିସବୁ ପ୍ରସଙ୍ଗ ବିଚାରକୁ ନେଇ ହାଇକୋର୍ଟ ଏ ସଂପର୍କିତ ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଯେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏପ୍ରିଲ ୨୨ରେ ଶ୍ରୀ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ମେ ୪ରେ ଶ୍ରୀ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏକ ମେଡିକାଲ ବୋର୍ଡ ଦ୍ବାରା କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ ଗଠିତ ମେଡିକାଲ ବୋର୍ଡ ମେ ୮ରେ ଏ ନେଇ ରିପୋର୍ଟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe