କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖକୁ ଘୁଞ୍ଚିଛି। ସେହି ସମୟ ମଧ୍ୟରେ କେସ୍ ଡାଏରି ଦାଖଲ ସହ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ରଖିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଆଜି ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ୨୦୧୭, ସେପ୍ଟେମ୍ବର ୧୮ତାରିଖରେ ସିବିଆଇ ଗିରଫ କରିଥିଲା। ଏହାପରେ ସିବିଆଇ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ସେପ୍ଟେମ୍ବର ୨୩ରେ ଖାରଜ କରିଥିଲେ। ୨୦୧୭, ସେପ୍ଟେମ୍ବର ୨୬ରେ ଖୋର୍ଦ୍ଧା ଦୌରା ଜଜ୍ ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ଶ୍ରୀ ବିଶ୍ୱାଳ ଅକ୍ଟୋବର ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଛନ୍ତି।
ଏଥି ସହିତ ସେ ଦର୍ଶାଇଛନ୍ତି ଯେ ସିସୋର କାରବାର ସହିତ ତାଙ୍କର କିଛି ସଂପୃକ୍ତି ନାହିଁ ଓ ଏହି ମାମଲାର ତଦନ୍ତରେ ସେ ସିବିଆଇକୁ ସବୁ ବେଳେ ସହଯୋଗ କରି ଆସୁଥିଲେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଇତିମଧ୍ୟରେ ଅଭିଯୋଗର ତଦନ୍ତ ସମୟରେ ତାଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରା ଉଚୁରା କରି ସାରିଛି। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ତଦନ୍ତ ଯଥେଷ୍ଟ ଆଗେଇଛି। ସେ ଜଣେ ବିଧାୟକ ହୋଇଥିବା ବେଳେ ପଳାୟନ କରିବାର କୌଣସିି ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଯେ କୌଣସି ସର୍ତ୍ତ ରଖି ଜାମିନ ପ୍ରଦାନ କରାଯାଉ ବୋଲି ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି।
Follow Us