ଜେଇଙ୍କୁ ଉଠ୍‌ବସ୍‌ କରିବା ଘଟଣା : ଆଦିବାସୀ ମହାସଂଘର ସଶସ୍ତ୍ର ଆନ୍ଦୋଳନ ଚେତାବନୀ

Advertisment

ବିଧାୟକଙ୍କ ବିରୋଧରେ ଥାନାରେ ଏତଲା, ଗିରଫ ଦାବି, ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ଜେଇଙ୍କ ପତ୍ନୀ, ବଲାଙ୍ଗୀର ଜିଲ୍ଲା କନିଷ୍ଠ ଯନ୍ତ୍ରୀଙ୍କ କଲମଛାଡ଼ ଆନ୍ଦୋଳନ

ବିଧାୟକଙ୍କ ବିରୋଧରେ ଥାନାରେ ଏତଲା, ଗିରଫ ଦାବି, ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ଜେଇଙ୍କ ପତ୍ନୀ, ବଲାଙ୍ଗୀର ଜିଲ୍ଲା କନିଷ୍ଠ ଯନ୍ତ୍ରୀଙ୍କ କଲମଛାଡ଼ ଆନ୍ଦୋଳନ

ଜେଇଙ୍କୁ ଉଠ୍‌ବସ୍‌ କରିବା ଘଟଣା : ଆଦିବାସୀ ମହାସଂଘର ସଶସ୍ତ୍ର ଆନ୍ଦୋଳନ ଚେତାବନୀ

ପାଟଣାଗଡ଼ : ପାଟଣାଗଡ଼ର ନବ ନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ ତାରିଖ ସର୍ବସମକ୍ଷରେ ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ କାନଧରି ଉଠ୍‌ବସ୍‌ କରାଇବା ଘଟଣାକୁ ନେଇ ଶନିବାର ସକାଳେ ସ୍ଥାନୀୟ ଆଦିବାସୀ ସଂଘ ପକ୍ଷରୁ ଲରମ୍ଭା ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ବିଧାୟକଙ୍କୁ ଗିରଫ କରା ନଗଲେ ସଂଘ ସଶସ୍ତ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଶନିବାର ସନ୍ଧ୍ୟାରେ ମହାସଂଘର ଜରୁରି ବୈଠକ ସ୍ଥାନୀୟ ଗଡ଼ଭିତରସ୍ଥିତ ବଢ଼େଇ ଓ ମିସ୍ତ୍ରି ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ପାଟଣାଗଡ଼ ବ୍ଲକ ଆଦିବାସୀ ସଂଘର ସଭାପତି ଅଷ୍ଟରତ୍ନ ବରିହା, ସମ୍ପାଦକ ସାରଥୀ ବାଗ, ଗିରିଧାରି ଭୋଇ, ଚନ୍ଦ୍ରମଣି ଶବର, ମନବୋଧ ବରିହା, ପୂର୍ଣ୍ଣାନନ୍ଦ ବରିହା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। ବିଧାୟକଙ୍କୁ ତୁରନ୍ତ ଗିରଫ, ବିଧାନସଭା ସଭ୍ୟପଦ ରଦ୍ଦ ଓ ଦଳରୁ ବହିଷ୍କାର କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ପାଟଣାଗଡ଼ ସମେତ ସାରା ରାଜ୍ୟରେ ଆଦିବାସୀମାନେ ଆନ୍ଦୋଳନ କରିବେ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରେ ରାୟଗଡ଼ା ଠାରେ ଏବଂ ୧୨ ତାରିଖରେ ବଲାଙ୍ଗୀରଠାରେ ମହାସଂଘ ପକ୍ଷରୁ ସଶସ୍ତ୍ର ଆନ୍ଦୋଳନ କରାଯିବା ସହ ସମ୍ପୃକ୍ତ ଜିଲ୍ଲାର ଏସ୍‌ପି ଓ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ମହାସଂଘର ମହାସଚିବ ଶ୍ରୀ ବିଶି ସୂଚନା ଦେଇଛନ୍ତି।

ମହାସଂଘର ମହାସଚିବ ଶ୍ରୀ ବିଶି ତାଙ୍କ ପ୍ରତିକ୍ରିୟାରେ ବିଧାୟକ ଶ୍ରୀ ମେହେରଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ବିଧାୟକ ଏପରି ଢାଞ୍ଚାରେ ଶାସନ କଲେ ସେ ବିଧାୟକ ନୁ‌େହଁ ବରଂ କୌଣସି ସନ୍ତ୍ରାସବାଦୀଙ୍କ ନେତା ହେବା କଥା ବୋଲି ଶ୍ରୀ ବିଶି କହିଥିଲେ। ‌ଅପରପକ୍ଷରେ ବିଧାୟକଙ୍କ ପ୍ରତି ପୁଲିସ କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ନୂଆଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିସନଙ୍କୁ ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଏବଂ ଆଦିବାସୀ ମହାସଂଘ ପକ୍ଷରୁ ଅଭିଯୋଗପତ୍ର ପଠା ଯାଇଛି। ନୂଆଦିଲ୍ଲୀସ୍ଥିତ ଜାତୀୟ ଆଦିବାସୀ ଆୟୋଗର ଅଧ୍ୟକ୍ଷ ଏବଂ ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବିଶି।

ସେହିପରି ଶନିବାର ବଲାଙ୍ଗୀର କନିଷ୍ଠ ଯନ୍ତ୍ରୀମାନେ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଲମଛାଡ଼ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe