ପ୍ରେମିକାଙ୍କୁ ବିବାହ କରିବେ ବିଧାୟକ ବିଜୟଶଙ୍କର: କୋର୍ଟ ମ୍ୟାରେଜ୍ ପାଇଁ ସବରେଜିଷ୍ଟ୍ରାର ଅଫିସ୍‌ରେ ଆବେଦନ

Advertisment

୩୦ ଦିନ ପରେ ହେବ ବିବାହ, ମିଳିବ ସାର୍ଟିଫିକେଟ୍

୩୦ ଦିନ ପରେ ହେବ ବିବାହ, ମିଳିବ ସାର୍ଟିଫିକେଟ୍

ପ୍ରେମିକାଙ୍କୁ ବିବାହ କରିବେ ବିଧାୟକ ବିଜୟଶଙ୍କର: କୋର୍ଟ ମ୍ୟାରେଜ୍ ପାଇଁ ସବରେଜିଷ୍ଟ୍ରାର ଅଫିସ୍‌ରେ ଆବେଦନ

ଜଗତସିଂହପୁର ଟାଉନ୍/ସଦର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ବିବାହକୁ ନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ଉଭୟ ଆଜି ଜଗତସିଂହପୁର ଥାନା ନିକଟରେ ଥିବା ସବ୍‌ରେଜିଷ୍ଟ୍ରାର୍ ଅଫିସରେ ବିବାହ ପାଇଁ ଆବେଦନ କରିଛନ୍ତି। ବିବାହ ପାଇଁ ଉଭୟଙ୍କର ସମ୍ମତି ଥିବା ଲିଖିତ ଭାବେ ଜଣାଇଛନ୍ତି। ନିୟମ ଅନୁସାରେ ଉଭୟଙ୍କୁ ନୋଟିସ୍ କରାଯିବ। ୩୦ ଦିନ ପରେ ସେମାନେ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇ ବରଣମାଳା ଦେଇ ବିଧିବଦ୍ଧ ଭାବେ କୋର୍ଟ ମ୍ୟାରେଜ୍ କରିବେ। ଏହାସହ ସେମାନଙ୍କୁ ବିବାହ କରିବା ନେଇ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ। ହିନ୍ଦୁ ରୀତିନୀତି ଅନୁସାରେ ପରେ ବେଦିରେ ବିବାହ ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ବିଧାୟକ ବିଜୟ ଶଙ୍କରଙ୍କୁ ବିବାହ କରିବା ଲାଗି ସୋମାଲିକା ଗତ ସପ୍ତାହରେ ଏସ୍‌ପିଙ୍କ ଅଫିସରେ ଦ୍ବାରସ୍ଥ ହେବାସହ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମଧ୍ୟସ୍ଥଙ୍କ ଜରିଆରେ ସମାଧାନର ବାଟ ବାହାର କରିବା ଉଦ୍ୟମ ଆରମ୍ଭ ହୋଇଥିଲା। ତୁରନ୍ତ କୋର୍ଟ ମ୍ୟାରେଜ୍ ଓ ଦୁଇ ମାସ ମଧ୍ୟରେ ବେଦିରେ ବିବାହ କରିବେ ବୋଲି ସୋମାଲିକାଙ୍କ ପରିବାର ପକ୍ଷରୁ ଶୁଣାଇ ଦିଆଯାଇଥିଲା। ଗତ ଶନିବାର ଦିନ ବିଧାୟକ ଓ ସୋମାଲିକାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା। ସେଠାରେ କୋର୍ଟ ମ୍ୟାରେଜ୍ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାସହ ବେଦି ବିବାହ ପାଇଁ କେହି ଜିଦ୍ କରିବେ ନାହିଁ ବୋଲି ବିଧାୟକଙ୍କ ପରିବାର ପକ୍ଷରୁ ସର୍ତ୍ତ ରହିଥିଲା। ସେହିପରି ରାଜନୈତିକ କ୍ୟାରିୟରରେ ମଧ୍ୟ କୌଣସି ହସ୍ତକ୍ଷେପ ରହିବ ନାହିଁ ବୋଲି ସର୍ତ୍ତରେ କୁହାଯାଇଥିଲା। ଏଥିରେ ସୋମାଲିକାଙ୍କ ପରିବାର ଲୋକ ରାଜି ହୋଇଥିଲେ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଆଜି ଦିନ ୧୧ଟାରେ ସୋମାଲିକା ତାଙ୍କ ବାପା, ସମ୍ପର୍କୀୟ ଏବଂ ଓକିଲଙ୍କ ସହ ସବ୍ ରେଜିଷ୍ଟ୍ରାର ଅଫିସରେ ପହଞ୍ଚିଥିଲେ। ଦିନ ପ୍ରାୟ ୧୧ଟା ୪୫ରେ ଏକ ଜିପ୍‌ରେ ଆସି ପହଞ୍ଚିଥିଲେ ବିଧାୟକ ବିଜୟ ଶଙ୍କର। ବିଧାୟକଙ୍କ ସମ୍ପର୍କୀୟ, ସମର୍ଥକ, ଦଳୀୟ କର୍ମୀ, ଜଗତସିଂହପୁର ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, ସ୍ବର୍ଗତ ବିଷ୍ଣୁ ଦାସଙ୍କର ସମର୍ଥକମାନେ ସେଠାରେ ଉପସ୍ଥିତ ଥିଲେ। ଉଭୟ ସବରେଜିଷ୍ଟ୍ରାର ଅଫିସକୁ ଯିବାପରେ ଆବେଦନପତ୍ରରେ ଦସ୍ତଖତ କରି ତାହାକୁ ଦାଖଲ କରିଥିଲେ। ଆବେଦନପତ୍ରରେ ମାଟ୍ରିକ ସାର୍ଟିଫିକେଟ୍, ଆଧାର କାର୍ଡ, ଫଟୋ ସଂଲଗ୍ନ କରାଯାଇଥିଲା। ଏହାପରେ ସବରେଜିଷ୍ଟ୍ରାରଙ୍କ ଆଗରେ ସେମାନେ ହାଜରହୋଇ ନିଜର ସମ୍ମତି ଥିବା ପ୍ରକାଶ କରିଥିଲେ। ବିବାହ ଦିନ ଉଭୟଙ୍କ ପକ୍ଷରୁ ସାକ୍ଷୀ ରହିବେ ବୋଲି ଜଣାପଡ଼ିଛି।

ଆବେଦନପତ୍ର ଦାଖଲ କରି ସବରେଜିଷ୍ଟ୍ରାର ଅଫିସ ବାହାରକୁ ଆସି ସୋମାଲିକା କହିଥିଲେ, ‘ମୋ ପାଇଁ ଆଜି ବହୁତ ଖୁସିର ଦିନ।’ ଅନ୍ୟପଟେ ବିବାହ ସମ୍ପର୍କରେ ପ୍ରଶ୍ନର କୌଣସି ପ୍ରତିକ୍ରିୟା ରଖି ନ ଥିଲେ ବିଜୟଶଙ୍କର। ସେ କହିଥିଲେ, ‘ମୋ ମାଙ୍କ ଦେହ ଖରାପ ଅଛି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୋତେ ବାରମ୍ବାର ଫୋନ୍ ଆସୁଛି। ତୁରନ୍ତ ଯିବାକୁ ପଡ଼ିବ।’ ବିଜୟ ଶଙ୍କରଙ୍କ ଓକିଲ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ କହିଥିଲେ ଯେ ଝିଅ ଏବଂ ପୁଅ ଉଭୟ ବିବାହ ପାଇଁ ଆବେଦନ କରିଛନ୍ତି। ଆବେଦନର ୩୦ ଦିନ ପରେ ବିବାହ ପାଇଁ ନୋଟିସ୍ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe