ଗଞ୍ଜାମରେ ଲମ୍ବୁଛି ମନରେଗା ଦୁର୍ନୀତି ଫର୍ଦ୍ଦ : ପୁରୁଣା କୂଅରେ ରଙ୍ଗ ଦେଇ ଅନୁଦାନ ହଡ଼ପ, ତଦନ୍ତ ନିର୍ଦ୍ଦେଶ

Advertisment
ଗଞ୍ଜାମରେ ଲମ୍ବୁଛି ମନରେଗା ଦୁର୍ନୀତି ଫର୍ଦ୍ଦ : ପୁରୁଣା କୂଅରେ ରଙ୍ଗ ଦେଇ ଅନୁଦାନ ହଡ଼ପ, ତଦନ୍ତ ନିର୍ଦ୍ଦେଶ

ଚିକିଟି : ଗଞ୍ଜାମ ଜିଲ୍ଲାରେ ମନରେଗା ଦୁର୍ନୀତି ତାଲିକାରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। ଗତ ସପ୍ତାହରେ ଜଗନ୍ନାଥପ୍ରସାଦ ବ୍ଲକ୍ ଜିରାବାଡ଼ି ଓ ଝାଡ଼ଭୂମିରେ ମନରେଗା ରାସ୍ତା କାମରେ ମେସିନ୍ ନିୟୋଜନ ଏବଂ ମାଟି ମୁଠେ ନପକାଇ ଲକ୍ଷାଧିକ ଟଙ୍କା ହଡ଼ପ ଭଳି ସଙ୍ଗିନ୍ ଅଭିଯୋଗ ସାମ୍ନାକୁ ଆସିଥିଲା। ଏବେ ପୁଣି ଚିକିଟି ବ୍ଲକ୍‌ରୁ ମଧ୍ୟ ମନରେଗାରେ ହିତାଧିକାରୀଙ୍କ ପୁରୁଣା କୂଅରେ ରଙ୍ଗ ବୋଲି ନୂଆ ବୋଲି ଦେଖାଇ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନେ ଟଙ୍କା ହରିଲୁଟ୍ କରିଛନ୍ତି। ଏ ନେଇ ବିରୋଧୀ ବିଜେପିର ଯୁବନେତା ଟ୍ବିଟ୍ କରି ଅଭିଯୋଗ କରିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକ୍ ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ପ୍ରକାରେ, ଚିକିଟି ବ୍ଲକ୍ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମର ରାମଚନ୍ଦ୍ର ବାଡ଼ତ୍ୟା ଜଣେ ପରିବା ଚାଷୀ। ସେ ନିଜ ଜମିରେ ବହୁ ବର୍ଷ ତଳେ ଏକ ପଥର କୂଅ ଖୋଳିଥିଲେ। କିନ୍ତୁ ଚଳିତବର୍ଷ ସେହି ପଥର କୂଅକୁ ମନରେଗା ଯୋଜନାରେ ସାମିଲ କରାଯାଇଥିଲା। ଆଉ ଉପର ଭାଗକୁ ରଙ୍ଗ ବୋଳି ଦିଆଯାଇ ଲକ୍ଷେ ୭୫ହଜାର ଟଙ୍କାରେ ଏହାକୁ ନିର୍ମାଣ କରାଯାଇଥିବା ଏବଂ ଶ୍ରମ ବାବଦକୁ ୬୨ହଜାର ଟଙ୍କା ମଜୁରି ଦିଆଯାଇଥିବା ଫଳକରେ ଦର୍ଶାଗଲା। ହେଲେ ଉକ୍ତ କୂଅ ବହୁ ବର୍ଷ ପୁରୁଣା ହୋଇଥିବା ବେଳେ ପଥର ଖସି ପଡ଼ିଲାଣି। ଏହାସହ ଭିତରେ ଗଛ ବି ଉଠିଯାଇଛି। ତେବେ ପୁରୁଣା କୂଅରେ କାନ୍ଥ ‌ବେଢ଼ାଇ କିଭଳି ନୂଆ କୂଅ ଖୋଳାଗଲା, ବୋଲି ସରକାରୀ କାଗଜରେ ଦର୍ଶାଗଲା ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁଦାନ ହଡ଼ପରେ ପ୍ରାଶାସନିକ ଅଧିକାରୀଙ୍କ ଭୂମିକା ଜଳଜଳ ଦିଶୁଛି।

ଅନ୍ୟପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଏହି ଅଭିଯୋଗର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀ ଏହାର ତନାଘନା କରିବେ ବୋଲି ଜଣାପଡ଼ିଛି। ସେପଟେ ବ୍ଲକ୍ ସହକାରୀ ଯନ୍ତ୍ରୀ ଏହି କାମକୁ ପୁନରୁଦ୍ଧାର ବୋଲି କହିଛନ୍ତି। ବିଡ଼ିଓ ଫାଲଗୁନି ମାଝୀ କହିଛନ୍ତି, ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ତଦନ୍ତ ଶେଷ ପରେ ପିଡିଙ୍କୁ ରିପୋର୍ଟ ଦିଆଯିବ। ହେଲେ ବ୍ଲକ୍ ପ୍ରଶାସନର ଜାଣତରେ ଏଭଳି ଅନିୟମିତତା ହେଉଥିବାରୁ ତଦନ୍ତର ଗତି କେଉଁ ଆଡ଼େ ଯିବ ଏହାକୁ ନେଇ ବି ସନ୍ଦେହ ସୃ‌ଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe