ସଇନ୍ତଳା‌ ବ୍ଲକ୍‌ରେ ମନରେଗା ଅନିୟମିତତା, ଏବିଡିଓଙ୍କ ତଦନ୍ତରୁ ଧରାପଡ଼ିଲା ମହାଦୁର୍ନୀତି

ସଇନ୍ତଳା‌ ବ୍ଲକ୍‌ରେ ମନରେଗା ଅନିୟମିତତା, ଏବିଡିଓଙ୍କ ତଦନ୍ତରୁ ଧରାପଡ଼ିଲା ମହାଦୁର୍ନୀତି

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ରେ ବି ମନରେଗା ମହାଦୁର୍ନୀତିର ଅଭିଯୋଗ ହୋଇ ଆସୁଥିଲା। ବୁଧବାର ଏବିଡିଓ ପ୍ରଦୀପ ପଟ୍ଟନାୟକ ଏହାର ତଦନ୍ତ କରି ସବୁକିଛି ସ୍ପଷ୍ଟ କରିଛନ୍ତି। ଆଦୌ କାମ ନହୋଇ ଟଙ୍କା ଆତ୍ମସାତ କରାଯାଇଛି ବୋଲି ସେ ସ୍ବୀକାର କରିଛନ୍ତି। ଏହି ଘଟଣା ବ୍ଲକ୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଅଭିଯାଗକାରୀମାନଙ୍କୁ ଫୋନ୍‌ରେ ଧମକ ମିଳୁଥିବା ଜଣାପଡ଼ିଛି। ଏହି ଧମକର ଅଡ଼ିଓ ଏବେ ଭାଇରାଲ ହୋଇଛି।

ପ୍ରକାଶ ଯେ, ମେରାବାହାଲ ଗ୍ରାମର ଶଙ୍କର ରଣା, ଗୋବିନ୍ଦ ପରାଭୁଏ, ଲଛମନ ଭୁଏ, ବୃନ୍ଦାବନ ମିର୍ଦ୍ଧା, ସୁଶାନ୍ତ ରଣା, ମଧୁ ରଣା ଓ ଦୟା କଠାର ବିଜାମୁଣ୍ତା ପୋଖରୀର ଉନ୍ନତୀକରଣ ଏବଂ ରାସ୍ତା କାମ ନକରି ସେମାନଙ୍କ ଖାତାରେ ଟଙ୍କା ପଡ଼ିଛି। ଉକ୍ତ ଟଙ୍କା ଉଠାଇ ଗାଁସାଥୀଙ୍କୁ ଦେବା ପାଇଁ ଗାଁସାଥୀ କହୁଥିବା ସେମାନେ ବିଡିଓ ଦେବାଶିଷ ସାମଲଙ୍କୁ ଗତ ୨୩ତାରିଖ ଦିନ ଅଭିଯୋଗ କରିଥିଲେ। ସାତଲକ୍ଷ ଟଙ୍କା ଅନୁଦାନର କାମ ନହୋଇ ବ୍ୟାପକ ଦୁର୍ନୀତି ଓ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ଚାରିଦିନ ପରେ ବୁଧବାର ଏବିଡିଓ ଶ୍ରୀ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ମେରାବାହାଲ ଗାଁର ପୋଖରୀ ଉନ୍ନତୀକରଣ ହୋଇନଥିବା ଏବଂ ଶ୍ରମିକମାନେ କାମ ନକରି ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଥିବା ଏବିଡିଓ ଶ୍ରୀ ପଟ୍ଟନାୟକଙ୍କୁ ଦେଖାଇଥିଲେ।

ଗାଁସାଥୀ ନିଜ ପରିଚିତ ଲୋକଙ୍କ ନାମରେ ଏବଂ ଗ୍ରାମର ଅନ୍ୟ କିଛି ଲୋକଙ୍କ ନାମରେ ଟଙ୍କା ପକାଇଥିବା ଶ୍ରମିକମାନେ କହିବା ସହ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରିଥିଲେ। ଶ୍ରମିକମାନଙ୍କ ବ୍ୟାଙ୍କ ଖାତାରେ ୧୨୬୩ ଟଙ୍କା ଲେଖାଏଁ ପଡ଼ିଛି। ତାହା ଭୁଲ୍‌ରେ ପଡ଼ିଥିବା କହି ଟଙ୍କା ବାହାର କରିଦେବା ପାଇଁ ଗାଁସାଥୀ କହୁଥିବା ମଧ୍ୟ ଅଭିଯୋଗ କରିଥିଲେ। ଟଙ୍କା କାଢ଼ି ନ ଦେଲେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା କହିଥିଲେ। ଏ ବିଷୟରେ ଏବିଡିଓ ଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ କାମ କିଛି ହୋଇନଥିବା ସ୍ବୀକାର କରିବା ସହ ତଦନ୍ତ ରିପୋର୍ଟ ବିଡିଓଙ୍କୁ ଦେବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe