ମନ‌ରେଗା ଯୋଜନା: ଗୋଟିଏ ଫଳକରେ ବାପା, ପୁଅଙ୍କ ନାଁ

ସମିତିସଭ୍ୟଙ୍କ ପରିବାର ହାତେଇଛନ୍ତି ୩ ପ୍ରକଳ୍ପ

୪୮ଲକ୍ଷ ଶ୍ରମଦିବସ ସତ୍ତ୍ବେ ଫଳ ଶୂନ: ଦାଦନ ରୋକିବାରେ ମନରେଗା ବିଫଳ

Zee News

ହାଟଡିହି: ମନରେଗା ଯୋଜନାରେ ଜମି ଉନ୍ନତୀକରଣ ଏବଂ ଫାର୍ମପଣ୍ଡ ନାମରେ ଆଖିବୁଜା ଦୁର୍ନୀତି ହୋଇଛି। ଜଣେ ସମିତିସଭ୍ୟଙ୍କ ପରିବାର ହାତେଇଛନ୍ତି ତିନିତିନିଟି ପ୍ରକଳ୍ପ। ବାପା, ମା’ ଓ ପୁଅଙ୍କ ନାମରେ ପ୍ରକଳ୍ପ ମଞ୍ଜୁର ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୋଟିଏ ସୂଚନାଫଳକର ଗୋଟିଏ ପାର୍ଶ୍ବରେ ବାପାଙ୍କ ନାମରେ ଫାର୍ମପଣ୍ଡ ପ୍ରକଳ୍ପର ସୂଚନା ଦିଆଯାଇଥିବା ବେଳେ ଅନ୍ୟପାର୍ଶ୍ବରେ ପୁଅଙ୍କ ନାମରେ ଜମି ଉନ୍ନତୀକରଣ ପ୍ରକଳ୍ପ ସମ୍ପର୍କିତ ସୂଚନା ଦିଆଯାଇଛି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ହାବଳେଶ୍ବର ପଞ୍ଚାୟତରେ।

ପଞ୍ଚାୟତର ଶାସକ ଦଳ ସମର୍ଥିତ ସମିତିସଭ୍ୟ ହେଉଛନ୍ତି ତାରିଣୀ ସେନାପତି। ୨୦୨୦-୨୧ ଆର୍ଥିକ ବର୍ଷରେ ତାଙ୍କ ପରିବାର ମନରେଗା ଯୋଜନାରେ ହାତେଇଛନ୍ତି ତିନିତିନିଟି ପ୍ରକଳ୍ପ। ଖୋଦ୍ ତାରିଣୀଙ୍କ ନାମରେ ଜମି ଉନ୍ନତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ତାଙ୍କ ବାପା ଗଙ୍ଗାଧର ସେନାପତିଙ୍କ ନାମରେ ଫାର୍ମପଣ୍ଡ ପ୍ରକଳ୍ପ ଏବଂ ମା’ କମଳିନୀ ସେନାପତିଙ୍କ ନାମରେ ଜମି ଉନ୍ନତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ତିନିଟି ପ୍ରକଳ୍ପ ବାବଦକୁ ଏହି ପରିବାର ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କାର ସରକାରୀ ଅନୁଦାନ। ସବୁଠାରୁ ରୋଚକ କଥା ହେଲା, ତାରିଣୀଙ୍କ ଜମି ପାଖରେ ତାଙ୍କ ବାପାଙ୍କ ନାମରେ ମଞ୍ଜୁର ହୋଇଥିବା ପ୍ରକଳ୍ପର ପୋଖରୀ ଖୋଳାଯାଇଛି। ଉକ୍ତ ପୋଖରୀରୁ ବାହାରିଥିବା ମାଟିକୁ ଜମିରେ ପକାଯାଇ ସମତୁଲ କରାଯାଇଛି। ଉଭୟ ପ୍ରକଳ୍ପ ପାଇଁ ୩ ଲକ୍ଷ ଟଙ୍କା ବିଲ୍‌ କରାଯାଇଛି। ସେହିପରି, ପୋଖରୀ ଏବଂ ଜମିର ମଝିରେ ଗୋଟିଏମାତ୍ର ସୂଚନାଫଳକ ଲଗାଯାଇଛି। ଗୋଟିଏପଟେ ବାପାଙ୍କ ନାମରେ ଫାର୍ମପଣ୍ଡ ପ୍ରକଳ୍ପର ସୂଚନା ଦିଆଯାଇଥିବାବେଳେ ଅନ୍ୟ ପାର୍ଶ୍ବରେ ତାରିଣୀଙ୍କ ନାମରେ ଜମି ଉନ୍ନତୀକରଣ ପ୍ରକଳ୍ପ ସମ୍ପର୍କିତ ସୂଚନା ଦିଆଯାଇଛି। ଏହାଛଡ଼ା ତାରିଣୀଙ୍କ ମା’ କମଳିନୀଙ୍କ ନାମରେ ଆଉ ଏକ ଜମି ଉନ୍ନତୀକରଣ ପ୍ରକଳ୍ପ ବାବଦକୁ ଦେଢ଼ଲକ୍ଷ ଟଙ୍କା ବିଲ୍‌ କରାଯାଇଛି। ପୂର୍ବରୁ ଗୋଟିଏ ପରିବାରର ସ୍ୱାମୀସ୍ତ୍ରୀ ଗୋଟିଏ ବର୍ଷରେ ଦୁଇଟି ପ୍ରକଳ୍ପ ହାତେଇଥିବାବେଳେ ଏବେ ସମିତିସଭ୍ୟଙ୍କ ପରିବାର ତିନିତିଟି ପ୍ରକଳ୍ପ ହାତେଇବା ଘଟଣା ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ସମିତିସଭ୍ୟ ତାରିଣୀ ସେନାପତିଙ୍କୁ ପଚାରିବାରୁ, ଆମେ ଅଲଗା ଅଲଗା ଅଛୁ। କିନ୍ତୁ କାମ ଗୁଡ଼ିକ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ହୋଇଥିବା ନେଇ ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe