ଭୁବନେଶ୍ବର: ସାରା ଦେଶରେ ‘ମୋ ପରିବାର ବିଜେପି ପରିବାର’ ଅଭିଯାନ ଆଜି ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ବୁଥ୍ରେ ଆୟୋଜିତ କରାଯିବ। ବିଜେପି ନେତୃବନ୍ଦଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ବୁଥ୍ରେ ମତଦାତାଙ୍କ ସହ ବସି ମୋଦୀ ସରକାରଙ୍କ ସଫଳତାଙ୍କ ସମ୍ପର୍କରେ ଆଲୋଚନା କରିବେ। ଓଡ଼ିଶାରେ ନୂଆପଡ଼ା ନିର୍ବାଚନମଣ୍ଡଳୀର କୁରୁମପୁରୀଠାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଘରେ ଶ୍ରୀ ପଣ୍ଡା ବିଜେପି ପତାକା ଓ ଷ୍ଟିକର ଲଗାଇବା ସହ କାର୍ଯ୍ୟକର୍ତ୍ତାଙ୍କ ଘରେ ବିଜେପି ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି। ସେହିପରି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟର ସମସ୍ତ ବିଜେପି ନେତୃବୃନ୍ଦ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ। ଶ୍ରୀ ପଣ୍ଡା କହିଛନ୍ତି, ରାଜ୍ୟରେ ମୋଦୀ ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ବାସ ବୃଦ୍ଧି ପାଇଛି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ପରିବାରର ସମସ୍ତ ସଦସ୍ୟ ବିଜେପି ସହ ଯୋଡ଼ି ହୋଇ ଦେଶର ବିକାଶରେ ଭାଗୀଦାରି ହେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ମୋଦୀଙ୍କ ଯୋଜନା ଦ୍ବାରା ଦେଶର ୫୦ କୋଟି ଗରିବ ପରିବାରରେ ସୁଧାର ଆସିଛି, ଯାହା କି ସ୍ବାଧୀନତାର ୭୦ ବର୍ଷରେ କେବେ ହୋଇ ନ ଥିଲା। ମୋଦୀ ସରକାର ୫ ବର୍ଷରେ ଅଢ଼େଇ କୋଟିରୁ ଅଧିକ ଗରିବଙ୍କୁ ପକ୍କା ଘର ଯୋଗାଇଛନ୍ତି। ଦେଶର ୨୨ କୋଟି ହିତାଧିକାରୀ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଉଠାଇଛନ୍ତି। ଯୋଜନାରୁ ବଞ୍ଚିତ ଥିବା ଲୋକଙ୍କ ଆଶୀର୍ବାଦ ରହିଲେ ପୁଣି ଥରେ ମୋଦୀ ସରକାର ଆସି ସମସ୍ତ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବ।
‘ମୋ ପରିବାର ବିଜେପି ପରିବାର’ ଅଭିଯାନ ଆରମ୍ଭ
Advertisment
Follow Us