‘ମୋ ସରକାର’କୁ ମାନୁନାହାନ୍ତି ଏମାନେ, ୨ ଆଇଆଇସି ପୁଲିସ ବର୍ଦ୍ଦିରେ କଳା ବୋଳିଲେ

Advertisment

ବିଡିଓଙ୍କ ଦୁର୍ବ୍ୟବହାରର ତଦନ୍ତ ସରୁନି

ବିଡିଓଙ୍କ ଦୁର୍ବ୍ୟବହାରର ତଦନ୍ତ ସରୁନି

‘ମୋ ସରକାର’କୁ ମାନୁନାହାନ୍ତି ଏମାନେ, ୨ ଆଇଆଇସି ପୁଲିସ ବର୍ଦ୍ଦିରେ କଳା ବୋଳିଲେ

ଭୁବନେଶ୍ବର: ଥାନା ଓ ବ୍ଲକ୍‌ ଅଫିସ୍‌ ହେଲା ରାଜ୍ୟ ପ୍ରଶାସନର ମେରୁଦଣ୍ଡ। ଏଠାରେ ଲୋକଙ୍କୁ ସର୍ବୋତ୍କୃଷ୍ଟ ସେବା ମିଳିବା ଦରକାର। ଏହି ଆଭିମୁଖ୍ୟ ନେଇ ବହୁ ଚର୍ଚ୍ଚିତ ‘ମୋ ସରକାର’ ଅଭିଯାନରେ ପ୍ରଥମେ ଥାନା ଓ ପରେ ବ୍ଲକ୍‌କୁ ଯୋଡ଼ା ଯାଇଥିଲା। ଲୋକଙ୍କ ପ୍ରତି କିପରି ବ୍ୟବହାର କରାଯିବ ଓ ଠିକ୍ ସେବା ଯୋଗାଇ ଦିଆଯିବ, ତାହାର ଗାଇଡ୍‌ଲାଇନ୍ ଦିଆଯାଇଥିଲା। ମାସ କେତୋଟି ବିତିନି। କିନ୍ତୁ ‘ମୋ ସରକାର’କୁ ଫୁ କରିଦେଇଛନ୍ତି କିଛି ଥାନା ଓ ବ୍ଲକ୍ ଅଧିକାରୀ। ସାଧାରଣ ଲୋକଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାଷ‌ାରେ ଗାଳିଗୁଲଜ କରି ବାଲିଆପାଳ ବିଡିଓ ‘ମୋ ସରକାର’ର ଧଜିଆ ଉଡ଼ାଇଦେଲେ। ସେମିତି ପାଟଣା ଥାନା ଆଇଆଇସି ହାଜତ ଭିତରେ ଜଣେ ଅଭିଯୁକ୍ତକୁ ନିର୍ଧୁମ ପିଟି ପୁଲିସ୍‌ର ଅସଲ ଚେହେରା ଦେଖାଇଲେ। ଲକ୍‌ଡାଉନ୍ ନିୟମ ନ ମାନି ଶ୍ରୀମନ୍ଦିରରେ ପଶି ବଡ଼ଚଣାର ପୂର୍ବତନ ଆଇଆଇସି ପୁଲିସ୍‌ ସର୍ବେସର୍ବା ବୋଲି ଆସ୍ଫାଳନ କଲେ।

କରୋନା ସମୟରେ ଯେତେବେଳ ଅଧିକାରୀମାନେ ସଂଯମ ଓ ସମ୍ବେଦନଶୀଳ ହେବା କଥା, ସେତେବେଳେ ସେମାନେ ଲକ୍ଷ୍ମଣରେଖା ଭୁଲିଗଲେ। ସେମାନେ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରି ‘ମୋ ସରକାର’ ଅଭିଯାନକୁ ବାଟବଣା କରିଦେଇଛନ୍ତି। ଗତ ୧୩ ତାରିଖରେ ଗୁଜୁରାଟରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ବାଲିଆପାଳ ବ୍ଲକ୍ କାର୍ଯ୍ୟାଳୟର ଫାଟକ ସମ୍ମୁଖ‌େର ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ବହୁ ସମୟ ଧରି କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ପିଇବା ପାଣି ମାଗିବାରୁ ବିଡିଓ ଛବିରାଣୀ ସାହୁ ସେମାନଙ୍କୁ ରୁକ୍ଷ ବ୍ୟବହାର କରିଥିଲେ। ସବୁ ଆନୁଷଙ୍ଗିକ କାଗଜପତ୍ର କାମ ଶେଷ ହେବା ପର୍ଯ୍ୟନ୍ତ ସେମିତି ଛିଡ଼ା ହୋଇ ରହିବ ବୋଲି ନାଲି ଆଖି ଦେଖାଇଥିଲେ। ଅତ୍ୟନ୍ତ କଡ଼ା ଭାଷାରେ ଗାଳି କରି ଔକାତ୍ ଭିତରେ ରହିବାକୁ ତାଗିଦ୍ କରିଥିଲେ।

ଏହି ଭିଡିଓଟି ଭାଇରାଲ୍‌ ହେଲା ପରେ ପ୍ରଶାସନ ଲୋକଙ୍କ ରୋଷର ଶିକାର ହୋଇଥିଲା। ପର ଦିନ ଅର୍ଥାତ ୧୪ ତାରିଖରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆସିଲା ‌ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହା ମଧ୍ୟରେ ୧୦ ଦିନ ବିତିଗଲାଣି। ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସରକାରଙ୍କ ପାଖକୁ ଆସୁ ନାହିଁ। ଗାଳି ଦେବାର ଭିଡିଓ ସମସ୍ତଙ୍କ ହାତରେ ଥିଲା ବେ‌ଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ତଦନ୍ତ କରିବାକୁ କାହିଁକି ଏତେ ସମୟ ନେଉଛି, ତାହା ବୁଝା ପଡ଼ୁ ନାହିଁ। ଏପଟେ ଜିଲ୍ଲାପାଳଙ୍କୁ ତଦନ୍ତ ନି‌େର୍ଦ୍ଦଶ ଦେଇ ପଞ୍ଚାୟତିରାଜ ବିଭାଗ ବି ଚୁପ୍ ହୋଇ ବସିଯାଇଛି।

ଅପରପକ୍ଷରେ ଗୁରୁତର ଦୋଷ କରିଥିବା ବଡ଼ଚଣାର ପୂର୍ବତନ ଆଇଆଇସି ଦୀପକ ଜେନା ଓ ପାଟଣାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଯଦିଓ ନିଲମ୍ବିତ ହୋଇଛନ୍ତି, କିନ୍ତୁ ତାହା ପୁଲିସ୍‌ର ବର୍ଦ୍ଦିରେ କଳା ବୋଳି ଦେଇଛି। କରୋନା ମୁକାବିଲାରେ ପୁଲିସ୍‌ ଯେତିକି ପ୍ରଶଂସା ସାଉଁଟିଥିଲା, ଏହି ଦୁଇ ଅଧିକାରୀଙ୍କ ଆଚରଣ ‌ଯୋଗୁଁ ବିଭାଗକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି। ବଡ଼ଚଣାରୁ ଚୋରା ଗାଡ଼ିରେ ହଳଦି ବତୀ ଲଗାଇ ତିନି ତିନିଟି ଜିଲ୍ଲା ପାର ହୋଇ ଶ୍ରୀ ଜେନା ସପରିବାରେ ଶ୍ରୀମନ୍ଦିରରେ ପହଞ୍ଚିଗଲେ। ପୁଣି ସେଠାରେ ଶ୍ରୀମନ୍ଦିର ପୁଲିସ୍‌କୁ ଚକ୍‌ମା ଦେଖାଇ ଭିତରକୁ ଯାଇ ଦର୍ଶନ କଲେ। ପୁଲିସ୍‌ ବ୍ୟବସ୍ଥାରେ ସାଧାରଣ ଲୋକଟି ସାମାନ୍ୟ ଭୁଲ୍‌ ପାଇଁ ଦଣ୍ଡ ପାଉଥିଲା ବେଳେ ବ୍ୟବସ୍ଥାର ଗଳା ବାଟ ଦେଖାଇ ଜଣେ ଅଧିକାରୀ ନିର୍ଦ୍ବନ୍ଦ୍ବରେ ନିଜ କାମ କଲେ। ସେହିପରି ପାଟଣା ଥାନାର ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ପୁଲିସ୍‌ର ବର୍ବରତାକୁ ଖୋଲାଖୋଲି ପ୍ରଦର୍ଶନ କରିଛନ୍ତି। ପୁଲିସ୍‌କୁ ‘ପିପୁଲ୍‌ ଫ୍ରେଣ୍ଡ୍‌ଲି’ ବୋଲି ସରକାର କହୁଥିବା ବେଳେ ସନ୍ଧ୍ୟାରାଣୀ ତାକୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଛୋଟ ଛୋଟ ଘଟଣାକୁ ନେଇ ଥାନା ଭିତରେ ଲୋକଙ୍କ ପ୍ରତି ପୁଲିସ୍‌ର ଅମାନୁଷିକ ବ୍ୟବହାର ପଦାରେ ପଡ଼ିଛି। ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ପୁଲିସ୍‌ର ଏମିତି ମାଡ଼ ସବୁ‌େ‌ବଳେ ଚର୍ଚ୍ଚାରେ ରହି ଆସିଛି। ଏଥି ପାଇଁ ପୁଲିସ୍‌ ବହୁବାର ସମାଲୋଚନାର ଶିକାର ହୋଇଛି। ତଥାପି ଅଧିକାରୀମାନେ ‌େଚତୁ ନାହାନ୍ତି। ଲୋକଙ୍କ ପ୍ରତି ପୁଲିସ୍‌ର ଆଚରଣ କିଛି ବଦଳୁନି। ‘ମୋ ସରକାର’ରେ ପୁଲିସ୍‌ ବିଭାଗ ପ୍ରଥମେ ସାମିଲ ହୋଇଥିଲେ ବି ଥାନାରେ ଚିତ୍ର ନ ବଦଳିବା ଆମ ବ୍ୟବସ୍ଥାର ଗୁରୁତର ତ୍ରୁଟିକୁ ସୂଚାଉଛି ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe