ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ବୈଠକ: ୧୭.୭୯ କୋଟିର ପ୍ରକଳ୍ପ ଅନୁମୋଦନ

Advertisment
‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ଭୁବନେଶ୍ବର : ‘ମୋ ସ୍କୁଲ୍’ ଅଭିଯାନର ୩୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୯ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେବା ସହ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୭ ହଜାର ଓ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। ଏବେ ସୁଦ୍ଧା ୬ ଲକ୍ଷ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ସାମିଲ ହୋଇଛନ୍ତି। ଏଥିସହ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି। ବାଲେଶ୍ୱର ଜିଲ୍ଲାରେ ଅଭିଯାନକୁ ବିପୁଳ ସମର୍ଥନ ମିଳିଥିବାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଚେଷ୍ଟା ଜାରି ରହିଛି।

ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୭୮୩ ସ୍କୁଲ୍‌ରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଇଛି। ଏବେ ସୁଦ୍ଧା ୧୩୨୯ ଜଣ ମେଣ୍ଟର ରାଜ୍ୟର ୧୩୬୪ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି। ‘୫-ଟି’ ହାଇସ୍କୁଲ୍ ଟ୍ରାନ୍ସଫର୍‌ମେସନ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ୍ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଏବେ ସୁଦ୍ଧା ୧୪ଟି ଜିଲ୍ଲାର ୪୭୨ ସ୍କୁଲ୍‌ର ୧୦୦୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ସ୍କିଲ୍‌ କ୍ଷେତ୍ରରେ ପ୍ରଶିକ୍ଷିତ କରାଯାଇଛି।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍‌’ ପକ୍ଷରୁ ଆୟୋଜିତ ହେଉଥିବା ଲର୍ଣ୍ଣିଂ କ୍ୟାମ୍ପ୍‌ ୧୬ଟି ଜିଲ୍ଲାର ୧୧୫୧ ସେଣ୍ଟରରେ ଆୟୋଜିତ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୩୦ ଜିଲ୍ଲାର ୩୮୪୯ଟି ସେଣ୍ଟରରେ ଏହି କ୍ୟାମ୍ପ୍‌ର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ପ୍ରୋଜେକ୍ଟ ମନିଟରିଂ ଓ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ୱତନ୍ତ୍ର ଅଡିଟ୍ ଟିମ୍ ଦ୍ୱାରା ୧୩ଟି ଜିଲ୍ଲାର ୨୨୭ଟି ସ୍କୁଲ୍ ଆକାଉଣ୍ଟ ଅଡିଟ୍ କରାଯାଇଛି। ଆଗାମୀ ଦିନରେ ୩୦ ପ୍ରତିଶତ ପ୍ରକଳ୍ପ ବିଦ୍ୟାଳୟର ଆକାଉଣ୍ଟ ଅଡିଟ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe