କନ୍ଧମାଳରେ ମାଓ ଆତଙ୍କ, ସ୍ୱାଭିମାନ ଅଞ୍ଚଳରେ ନାହିଁ

Advertisment

ଭୋଟ୍‌ ବର୍ଜନ ପାଇଁ ପୁଣି ପୋଷ୍ଟର ଲଗାଇଲେ ମାଓବାଦୀ, ସହିଦ ସ୍ତମ୍ଭରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର

ଭୋଟ୍‌ ବର୍ଜନ ପାଇଁ ପୁଣି ପୋଷ୍ଟର ଲଗାଇଲେ ମାଓବାଦୀ, ସହିଦ ସ୍ତମ୍ଭରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର

କନ୍ଧମାଳରେ ମାଓ ଆତଙ୍କ, ସ୍ୱାଭିମାନ ଅଞ୍ଚଳରେ ନାହିଁ

ଫୁଲବାଣୀ/କୋଟଗଡ଼ : କନ୍ଧମାଳ ଜିଲ୍ଲାରେ ପୁଲିସକୁ ଘନ ଘନ ଚାଲେଞ୍ଜ୍‌ ଦେଉଛନ୍ତି ମାଓବାଦୀ। ପଞ୍ଚାୟତ ଭୋଟ ବର୍ଜନ ପାଇଁ ସାଧାରଣ ଜନତାଙ୍କୁ ଆହ୍ବାନ ଜଣାଉଛନ୍ତି। ଗତକାଲି କୋଟଗଡ଼ର କେତେକ ଅଞ୍ଚଳରେ ଲାଲ୍‌ ପୋଷ୍ଟର୍‌ ଓ ବ୍ୟାନର୍‌ ମାରିଥିଲେ। ଆଜି ପୁଣି କୋଟଗଡ଼ର ଆଉ କେତେକ ଅଞ୍ଚଳରେ ପୋଷ୍ଟର୍‌ ଓ ବ୍ୟାନର୍‌ ଲାଗିଛି। କୋଟଗଡ଼ ବ୍ଲକ୍‌ ଯୋଡ଼ାବାଲି ପଞ୍ଚାୟତ ଅଫିସରେ ପୋଷ୍ଟର୍‌ ଓ ବ୍ୟାନର୍‌ ଲଗାଇଥିବାବେଳେ ଧରାକୋଟ ପଞ୍ଚାୟତର ସାଜୋଲି ଗ୍ରାମ ଉପକଣ୍ଠ ଦିଲ୍‌ ଛକରେ ବ୍ୟାନର୍‌ ଲଗାଇ ଉପସ୍ଥିତି ଜାହିର କରିଛନ୍ତି।

ମାଓବାଦୀ ଲଗାଇଥିବା ପୋଷ୍ଟର୍‌ରେ ମୁଖ୍ୟତଃ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସାଧାରଣ ଜନତାଙ୍କୁ ଆହ୍ବାନ ଦିଆଯାଇଛି। ଭୋଟ୍‌ ଭୋଟ୍‌ କହୁଛି ଯିଏ ସାମ୍ରାଜ୍ୟବାଦୀଙ୍କ ଦଲାଲ୍‌ ସିଏ, ଅନୁସୂଚିତ ଜନଜାତି ଅଞ୍ଚଳରେ ପେସା ଆଇନ ଲାଗୁ କରିବା, ଆଦିବାସୀବହୁଳ ଜିଲ୍ଲାଗୁଡ଼ିକୁ ନେଇ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ସ୍ବୟଂଶାସିତ ରାଜ୍ୟ ଗଠନ କରିବା; ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର, ଯୁବକ ଯୁବତୀଙ୍କୁ ରୋଜଗାର, ନିଶାମୁକ୍ତ ଓଡ଼ିଶା ଆଦି ବିଭିନ୍ନ ଦାବିରେ ଭୋଟ ବର୍ଜନ ପାଇଁ ପୋଷ୍ଟର୍‌ରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହ ମଧ୍ୟରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ଅନେକ ଅଘଟଣ ଘଟାଇବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ଲଗାଇ ନିର୍ବାଚନ ବନ୍ଦ ଆହ୍ବାନ ଦେଉଛନ୍ତି। ଆଉ ଦୁଇ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଲାଲ୍‌ବାହିନୀର ଏଭଳି ଲଗାତାର ଚାଲେଞ୍ଜ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଅନ୍ୟପକ୍ଷରେ, ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା ଏବଂ ଫିରିଙ୍ଗିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓଦମନ ଅପରେସନ୍‌ ଜୋର୍‌ଦାର୍‌ କରାଯାଇଛି ବୋଲି ଏସ୍‌ପି ଭିନୀତ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।

publive-image

ସହିଦ ସ୍ତମ୍ଭରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର

ମାଲକାନଗିରି : ଭୟମୁକ୍ତ ଜୀବନ ବଞ୍ଚୁଛନ୍ତି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳବାସୀ। ଆଉ ନକ୍ସଲଙ୍କୁ ଖାତିର କରୁନାହାନ୍ତି କିମ୍ବା ନକ୍ସଲଙ୍କ କଟକଣାକୁ ମାନୁନାହାନ୍ତି। ସ୍ବାଧୀନତାର ପ୍ରକୃତ ଅର୍ଥ ବୁଝି ସାରିଥିବା ଅଞ୍ଚଳବାସୀ ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟକୁ ଏଥର ସାକାର କରିବାକୁ ଯାଉଛନ୍ତି। ୧୦ବର୍ଷର ବଡ଼ ବ୍ୟବଧାନ ପରେ ଏଠାରେ ନିର୍ବାଚନ ହେଉଥିବାରୁ ଲୋକେ ପ୍ରବଳ ଉତ୍ସାହିତ ରହିଛନ୍ତି। ଅନ୍ୟପଟେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଚାଲିଛି।

ଆସନ୍ତା ୨୪ ତାରିଖରେ ଅନ୍ତିମ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଚିତ୍ରକୋଣ୍ଡା ବ୍ଲକ୍‌ରେ ହେବାକୁ ଯାଉଛି। ୧୮ଟି ପଞ୍ଚାୟତ ମଧ୍ୟରୁ ୯ଟି ପଞ୍ଚାୟତ ସ୍ବାଭିମାନ ଅଞ୍ଚଳରେ ରହିଥିବା ‌ବେଳେ ପ୍ରଶାସନର ଫୋକସ୍‌ରେ ଏହି ଅଞ୍ଚଳ ରହିଛି। ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ନିର୍ବାଚନ କରାଯିବ ବୋଲି ପ୍ରଶାସନ କହିଛି। ଲୋକେ ଯେପରି ଘରୁ ବାହାରି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ସେନେଇ ସଚେତନ ମଧ୍ୟ କରାଯାଉଛି। ସ୍ବାଭିମାନ ଅଞ୍ଚଳର ୯ଟି ଯାକ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ଵାର୍ଡସଭ୍ୟ ଏବଂ ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ଦାଖଲ ହୋଇଛି। ଏଥିପାଇଁ ପ୍ରାର୍ଥୀ ଏବଂ ନେତା ନିର୍ବାଚନ ମନସ୍କ ହୋଇଥିବା ବେଳେ ନିର୍ଭୟରେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ଏହାରି ମଧ୍ୟରେ କିଛି ଭିନ୍ନ ଦୃଶ୍ୟ ଦୃଷ୍ଟି ଆକର୍ଷଣ କରିଛି। ନକ୍ସଲଙ୍କ ସହିଦସ୍ତମ୍ଭରେ ମଧ୍ୟ ପ୍ରାର୍ଥୀମାନେ ନିଜ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ଏପରିକି ଗୋରାସେତୁ ଠାରେ ରହିଥିବା ନକ୍ସଲଙ୍କ କାର୍ଯ୍ୟାଳୟରେ ମଧ୍ୟ ପ୍ରାର୍ଥୀ ନିଜର ପ୍ରଚାର ପତ୍ର ମାରିଛନ୍ତି। ଯାହାକି ନକ୍ସଲଙ୍କୁ ଖୋଲା ଚାଲେଞ୍ଜ ସଦୃଶ ବୋଲି କୁହାଯାଉଛି।

ନିର୍ବାଚନ ପାଇଁ ଆଉ ଗୋଟିଏ ସପ୍ତାହରୁ କିଛି ଅଧିକ ଦିନ ରହିଥିବାରୁ ବିଏସ୍‌ଏଫ୍‌ ପକ୍ଷରୁ ସୁରକ୍ଷାର ବଳୟ ସୃଷ୍ଟି କରାଯାଇଛି। ପ୍ରାର୍ଥୀ ଯେମିତି ସୁରକ୍ଷିତ ରହିବେ ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ତେବେ ଦୁର୍ଗମ ଅଞ୍ଚଳକୁ ପ୍ରଚାର ପାଇଁ ଗଲେ ସଂଧ୍ୟା ସୁଦ୍ଧା ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ନିର୍ବାଚନ ହେବା ଗଣତନ୍ତ୍ରର ବଡ଼ ବିଜୟ ବୋଲି ଲୋକେ କହୁଛନ୍ତି। ଆଗକୁ ଆହୁରି ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେଲେ ନକ୍ସଲ ସଂପୂର୍ଣ୍ଣ ଭାବେ ଏଠାରୁ ବିତାଡିତ ହେବେ ବୋଲି ଲୋକେ କହିଛନ୍ତି। ବଡ଼କଥା ହେଲା ଏଥର ନିର୍ବାଚନରେ ମହିଳାମାନେ ମଧ୍ୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି। ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଯନ୍ତ୍ରୀ ପଞ୍ଚାୟତରେ ନିର୍ବାଚନ ପାଇଁ ପ୍ରାର୍ଥୀ ଓ କର୍ମୀ ତତ୍ପର ରହିଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ନାଲି ଆଖିକୁ ଭୟ ନ କରି ଜୋରଦାର ପ୍ରଚାର ଚାଲିବା ସହ ନକ୍ସଲଙ୍କୁ ବେଖାତିର କରି ସହିଦସ୍ତମ୍ଭରେ ହିଁ ପୋଷ୍ଟର ଏବଂ ବ୍ୟାନର ମାରିବା ସାହସର କଥା ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସ୍ବାଭିମାନ ଅଞ୍ଚଳରେ କିପରି ସୁରୁଖୁରୁରେ ନିର୍ବାଚନ ସରିବ ସେଥିପାଇଁ ପୁଲିସ ଡିଜି ଦୁଇ ଦିନ ତଳେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ବିଏସ୍‌ଏଫ୍‌ ସହ ମିଶି ପୁଲିସ ଏଥର ସୁରୁଖୁରୁରେ ନିର୍ବାଚନ ସମାପ୍ତ କରିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe