ମହିଳାଙ୍କୁ ଅସଦାଚରଣ ପରେ ଭିଡ଼ହିଂସା: ୮ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ମାଡ଼

Advertisment

ଅମାନବିକତାର ସୀମା ଲଂଘିଲେ। ୮ ଜଣ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ନିର୍ଧୂମ ମାଡ଼ ମାରିଲେ। ଲୁହାତାରରେ ହାତକୁ ବାନ୍ଧି ଦେଢ଼ କିଲୋମିଟରରୁ ଅଧିକ ବାଟ ଚଲେଇ ଚଲେଇ ଆଣିଲେ। ଏପରିକି ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଓ ଭିଡିଓ ଉତ୍ତୋଳନ...

Updated On

ଅମାନବିକତାର ସୀମା ଲଂଘିଲେ। ୮ ଜଣ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ନିର୍ଧୂମ ମାଡ଼ ମାରିଲେ। ଲୁହାତାରରେ ହାତକୁ ବାନ୍ଧି ଦେଢ଼ କିଲୋମିଟରରୁ ଅଧିକ ବାଟ ଚଲେଇ ଚଲେଇ ଆଣିଲେ। ଏପରିକି ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଓ ଭିଡିଓ ଉତ୍ତୋଳନ...

ଅଦ୍ୟତନ ହୋଇଛି
murder22

ସୁନ୍ଦରଗଡ଼: ଅମାନବିକତାର ସୀମା ଲଂଘିଲେ। ୮ ଜଣ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ନିର୍ଧୂମ ମାଡ଼ ମାରିଲେ। ଲୁହାତାରରେ ହାତକୁ ବାନ୍ଧି ଦେଢ଼ କିଲୋମିଟରରୁ ଅଧିକ ବାଟ ଚଲେଇ ଚଲେଇ ଆଣିଲେ। ଏପରିକି ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଓ ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଠେଲାପେଲା କଲେ। ଗୁରୁବାର ସକାଳେ ସୁନ୍ଦରଗଡ଼ ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅସଦ‌ାଚରଣ ଅଭିଯୋଗ ଆଣି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି କାଣ୍ଡ ଭିଆଇଛନ୍ତି। ସଭ୍ୟ ସମାଜକୁ ଲଜ୍ଜିତ କରିଥିବା ତଥା ମାନବିକ ଅଧିକାରର ଖୋଲା ଉଲ୍ଲଂଘନ ହୋଇଥିବା ଏହି ଦୃଶ୍ୟ ସାମନାକୁ ଆସିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଟାଉନ୍‌ ଥାନା ପୁଲିସ ଭିଡ଼ହିଂସାକୁ ନିୟନ୍ତ୍ରଣ କରିବା ସହ ୮ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି। 

saaasas

ପୁଲିସ ସୂତ୍ରରୁ ମିଳିଥିବା ସୂଚନ‌ା ଅନୁସାରେ, ଗୁରୁବାର ସକାଳେ ସୁନ୍ଦରଗଡ଼ ଟାଉନ୍‌ ଥାନା ମିସନ୍‌ରୋଡ୍‌ ଅଞ୍ଚଳର ଏକ ଘରେ ଜଣେ ମହିଳା ଗାଧୋଇବାକୁ ଯାଉଥିବାବେଳେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଜଣେ ଶ୍ରମିକ ତାଙ୍କୁ ଟାଣି ନେଇ ଅସଦ‌ାଚରଣ କରିଥିଲେ। ମହିଳାଜଣକ ଚିତ୍କାର କରିବା ପରେ ଉକ୍ତ ଶ୍ରମିକ ଭୟରେ ଦୌଡ଼ି ପଳାଇଥିଲେ। ଏହି ସମୟରେ ଘର ଲୋକେ ତାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ସେ ଆହତ ହେବାରୁ ଡାକ୍ତରଖାନା ନେଇ ଚିକିତ୍ସା କରାଇ ଛାଡ଼ି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ମାଡ଼ ଖାଇଥିବା ଶ୍ରମିକଜଣକ ପାଖରେ ଥିବା ଅନ୍ୟ ଶ୍ରମିକଙ୍କ ପାଖକୁ ଚାଲି ଯାଇଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକ ସଂଘବଦ୍ଧ ହୋଇ ପୁଣିଥରେ ସେହି ଶ୍ରମିକଙ୍କୁ ଟାଣି ଆଣି ବାଡ଼େଇଥିଲେ। ଏପରିକି ଅନ୍ୟ ସାଥୀ ଶ୍ରମିକଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ। ଭିଡ଼ ଆକ୍ରମଣରୁ କିଛି ବୟସ୍କ ଶ୍ରମିକ ମଧ୍ୟ ବର୍ତ୍ତି ନଥିଲେ। ଶ୍ରମିକମାନଙ୍କୁ ଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମାରିଥିଲେ।

ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡ଼ିନଥିଲା। ଅଭିଯୁକ୍ତ ସହ ୮ ଜଣ ଶ୍ରମିକଙ୍କୁ କେବଳ ଅନ୍ତଃବସ୍ତ୍ର ପିନ୍ଧାଇ ଲୁହାତାରରେ ହାତକୁ ବାନ୍ଧି ରାଜରାସ୍ତାରେ ପିଟିପିଟି ଚଲାଇବା ସହ ସହର ସାରା ବୁଲାଇବାକୁ ଉଦ୍ୟମ କରାଯାଇଥିଲା। ଏହି ସମୟରେ ପୁଲିସ ହସ୍ତକ୍ଷେପ କରିବାରୁ ଉଦ୍‌ଭ୍ରାନ୍ତ ଯୁବକମାନେ ଠେଲାପେଲା କରିଥିଲେ। ଫଟୋ, ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଧସ୍ତାଧସ୍ତି, ଧମକଚମକ ଦେବା ସହ କ୍ୟାମେରା, ମୋବାଇଲ୍‌ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। କୌଣସିମତେ ପୁଲିସ ଭିଡ଼ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ନେଇ ଆସିଥିଲା। ପୀଡ଼ିତା ମହିଳାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅସଦାଚରଣ କରିଥିବା ବଙ୍ଗାଳୀ ଶ୍ରମିକଙ୍କ ନାମରେ ମାମଲା ରୁଜୁ କରିଛି। ଅନ୍ୟପଟେ ରାସ୍ତା ଓ ଥାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ବଙ୍ଗାଳୀ ମିସ୍ତ୍ରି, ଶ୍ରମିକଙ୍କୁ ଅମାନବୀୟ ଆକ୍ରମଣ କରିଥିବା ଯୁବକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଶାନ୍ତ ସହର ସୁନ୍ଦରଗଡ଼‌ରେ ଏଭଳି ହିଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe