ବାଲେଶ୍ବରରେ ଆଜିଠୁ ମୋବାଇଲ୍‌ ଇଣ୍ଟରନେଟ୍‌: ଖୋଲିବ ସହରର ସମସ୍ତ ସ୍କୁଲ, କଲେଜ

Advertisment

ଜୀବନଯାତ୍ରା ସ୍ବାଭାବିକ, ୮୯ ଗିରଫ

ଜୀବନଯାତ୍ରା ସ୍ବାଭାବିକ, ୮୯ ଗିରଫ

ସହଦେବଖୁଣ୍ଟାରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର: ଗୋଷ୍ଠୀ ହିଂସାକାଣ୍ଡକୁ ନେଇ ବାଲେଶ୍ବର ସହରରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିରେ ସୁଧାର ଆସିଛି। ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଆସନ୍ତାକାଲି (ସୋମବାର)ଠାରୁ ସହରରେ ମୋବାଇଲ ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହେବ ଏବଂ ପୌରାଞ୍ଚଳରେ ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି ଜିଲ୍ଲାପାଳ ଆାଶିଷ ଠାକ୍‌ରେ ଆଜି ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ବାଭାବିକ ସ୍ଥିତି ଫେରିଛି। ଦୁଇଦିନ ତଳେ ଲିଜ୍‌ ଲାଇନ୍‌, ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ସେବା ଚାଲୁ କରାଯାଇଥିଲା। ସୋମବାରଠାରୁ ସମସ୍ତପ୍ରକାର ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ଏ ସଂକ୍ରାନ୍ତରେ ଗୃହ ବିଭାଗ ସହ ଆଲୋଚନା
କରାଯାଇଛି। ତେବେ ପୂର୍ବଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ଓ ଟାଉନ୍‌ ଥାନା ଅଞ୍ଚଳରେ ସକାଳ ୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ଧାର୍ଯ୍ୟ ସମୟପରେ ଉପରୋକ୍ତ ୨ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ସହରର ଅନ୍ୟ ସମସ୍ତ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିବା ସୂଚନା ଦେଇଥିଲେ।

ଏସ୍‌ପି ସାଗରିକା ନାଥ କହିଛନ୍ତି, ଜନସାଧାରଣଙ୍କ ସହଯୋଗ ଯୋଗୁଁ ସହରରେ ଶାନ୍ତି ଫେରି ଆସିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ଥିଲେ ମଧ୍ୟ କର୍ଫ୍ୟୁ ଜାରି ରହିବ। ସହରରେ ସାଇବର ପାଟ୍ରୋଲିଂ ଜାରି ରହିଛି। ସୋସିଆଲ ମିଡିଆରେ ଗୁଜବ ପ୍ରସାରଣ ନ କରିବାକୁ ଏସ୍‌ପି ବାରଣ କରିଥିବା ବେଳେ ଗତକାଲି ଜଣେ ଗୁଜବକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ହିଂସା ଘଟଣାରେ ସମୁଦାୟ ୨୧ଟି ମାମଲା ରୁଜୁ କରାଯାଇ ୮୯ ଜଣଙ୍କୁ ଗିରଫ କରାଯାଇଛି। ତେବେ ହିଂସାକାଣ୍ଡରେ ଜଣକର ମୃତ୍ୟୁ ଘଟିଥିବା, ୨ ଜଣଙ୍କ ଘର ଜାଳି ଦିଆଯାଇଥିବା ସଂପର୍କରେ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସଂପୂର୍ଣ୍ଣ ଗୁଜବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe