ସ୍ବାଭିମାନ ଅଂଚଳରେ ମୋବାଇଲ ସେବା, ଉପକୃତ ହେଲେ ୩୦ହଜାର ଲୋକ

ଆଗକୁ ଆଉ ୩ଟି ଟାୱାର ସ୍ଥାପନ ହେବ

ସ୍ବାଭିମାନ ଅଂଚଳରେ ମୋବାଇଲ ସେବା, ଉପକୃତ ହେଲେ ୩୦ହଜାର ଲୋକ

ମାଲକାନଗିରି/ଚିତ୍ରକୋଣ୍ଡା: ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ସେବା। ପ୍ରାୟ ୩୦ହଜାର ଲୋକ ପ୍ରଥମ ପର୍ଯ୍ୟାଳୟରେ ଉପକୃତ ହୋଇଛନ୍ତି। ଆଗକୁ ଅନ୍ୟ ଅଞ୍ଚଳକୁ ବି ଏହି ସେବା ସଂପ୍ରସାରିତ ହେବ ବୋଲି ସୂଚନା ମିଳିଛି। ଏହା ସହ ସ୍ବାଭିମାନ ଅଞ୍ଚଳକୁ ଦୂରତା କମିବା ସହ ଲୋକଙ୍କ ପାଇଁ ଆଣିଛି ଅନେକ ଆଶା ଏବଂ ସମ୍ଭାବନା। ଏଥର ଲୋକଙ୍କୁ ହାତ ପାଆନ୍ତାରେ ସମସ୍ତ ସୁବିଧା ତଥା ସୁଯୋଗ ମିଳିବ ବୋଲି କୁହାଯାଉଛି।

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ସରକାର ଶହେ କୋଟି ଟଙ୍କାର ବଡ଼ ପ୍ୟାକେଜ୍ ସ୍ବାଭିମାନ ଅଞ୍ଚଳ ପାଇଁ ଘୋଷଣା କରିଥିଲେ। ରାସ୍ତାଘାଟ ସହ ଉନ୍ନୟନ କାର୍ଯ୍ୟ ସବୁ ତ୍ବରାନ୍ବିତ ହୋଇପାରିଛି। ଏହିକ୍ରମରେ ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇ ଦେବାକୁ ଗତଦିନରେ ପୁଲିସ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଷଫିନ ଅହମ୍ମଦ ସ୍ବାଭିମାନ ଅଞ୍ଚଳରେ ଯେ କୌଣସି ପରିସ୍ଥିତିରେ ବି ମୋବାଇଲ ଟାୱାର ସ୍ଥାପନ କରିବାକୁ ପଦକ୍ଷେପ ନେଇଥିଲେ। ଏନେଇ ପ୍ରଥମେ ବିଏସ୍‌ଏନ୍‌ଏଲ ଏବଂ ଜିଓ କଂପାନି ସହ ଯୋଗାଯୋଗ କରିଥିଲେ। କିନ୍ତୁ ଉଭୟ କଂପାନି ଏହି ଅଞ୍ଚଳରେ ସେବା ଯୋଗାଇ ଦେବାକୁ ଅମଙ୍ଗ ହୋଇଥିଲେ। ଏହାପରେ ଡିଆଇଜି ନିଜେ ଘରୋଇ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ନିରନ୍ତର ଉଦ୍ୟମ ପରେ କଂପାନି କର୍ତ୍ତୃପକ୍ଷ ରାଜି ହେବାରୁ ୭ଟି ସ୍ଥାନରେ ଟାୱାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଚାରିଟି ସ୍ଥାନରେ କାମ ଶେଷ ହେବାପରେ ଆଜିଠାରୁ ସେବା ଆରମ୍ଭ ହୋଇଛି। ଯାହାଫଳରେ ଯଡ଼ାମ୍ବ, ହନ୍ତାଳଗୁଡ଼ା, ଜାନବାଇ ଏବଂ ଜନ୍ତାପାଇ ଅଞ୍ଚଳର ପ୍ରାୟ ୩୦ହଜାର ଲୋକ ମୋବାଇଲ ନେଟୱର୍କ ସହ ଯୋଡ଼ି ହୋଇଛନ୍ତି। ଆଗକୁ ଅତିଶୀଘ୍ର ଚିତ୍ରକୋଣ୍ଡା, ଡାଇକ-୩ ଏବଂ ଟନେଲ କ୍ୟାମ୍ପରେ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜିଲ୍ଲା ପୁଲିସ ଏବଂ ଅର୍ଦ୍ଧସାମରିକ ବଳର ସୁରକ୍ଷା ବଳୟରେ ଏହି ମୋବାଇଲ ଟାୱାରଗୁଡ଼ିକ ରହିବ ବୋଲି ଜଣାପଡ଼ିଛି। ସ୍ବାଭିମାନ ଅଞ୍ଚଳ ପାଇଁ ଆଜି ଥିଲା ଐତିହାସିକ ଦିବସ। ବିକାଶର ନୂଆ ଦିଗକୁ ଆଜି ଲୋକେ ଦେଖିଥିବା ବେଳେ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ବିଏସ୍‌ଏଫ୍‌, ପୁଲିସ ଏବଂ ଜିଲ୍ଲା ପ୍ରଶାସନର ପ୍ରୟାସ ସେମାନଙ୍କୁ ମୁଖ୍ୟଧାରାକୁ ନେବାରେ ସହାୟତା କରୁଥିବା ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe