The Samikhsya
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଆଇନ୍କୁ ନେଇ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏହି କଳା ଆଇନ୍ଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ କଂଗ୍ରେସ ଦାବି କରିଛି। ସେହିପରି ରାଜ୍ୟରେ ନବୀନ ସରକାର ସଂସଦରେ ଏହି ବିଲ୍ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛିମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ୍ ଗୃହୀତ କରାଇବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଥିଲେ ଯେ ନୂଆ କୃଷି ଆଇନ୍ କୃଷକମାନଙ୍କୁ ସର୍ବସ୍ୱାନ୍ତ କରିବାକୁ ଏକ ଷଡ଼ଯନ୍ତ୍ର। ଏହା ଶିଳ୍ପପତି ଓ ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି। କେନ୍ଦ୍ର ସରକାର ଅହଙ୍କାର ପରିତ୍ୟାଗ କରି ଏକ ମାସରୁ ଅଧିକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡ଼ିଥିବା ଚାଷୀଙ୍କ ଦାବିକୁ ସମ୍ମାନ ଜଣାନ୍ତୁ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ମିଥ୍ୟା ତଥ୍ୟ ଆଧାରରେ ଉପା ସରକାରକୁ ଯେଭଳି ସମାଲୋଚନା କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ସେ ଓଡ଼ିଶାର ଚାଷୀକୂଳକୁ ଏମିତି ଭ୍ରମିତ କରିବା ପରିବର୍ତେ ଖୋଲା ବିତର୍କକୁ ଆସନ୍ତୁ। ଉପା ସରକାରକୁ ସମାଲୋଚନା କରିବା ପୂର୍ବରୁ ବିଜେପି ନେତାମାନେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପେଟ୍ରୋଲ ଓ ଡିଜେଲ୍ର ଦର, ବିଦ୍ୟୁତ୍ ଦର, ବର୍ଦ୍ଧିତ ମଜୁରୀ ଏବଂ ମୁଦ୍ରାସ୍ଫୀତି ଆଦି ଯୋଗୁଁ ଯେଉଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ତାହା ହିସାବକୁ ନ ନେବା ଦୁର୍ଭାଗ୍ୟଜନକ ଓ ଉଦ୍ଦେଶ୍ୟମୂଳକ। ଗୋଟିଏ ପଟେ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସ୍ଲୋଗାନ ଦେଉଥିବା ମୋଦୀ ସରକାର ଦେଶର ଅନ୍ନଦାତାଙ୍କ ଆତ୍ମନିର୍ଭରଶୀଳତାକୁ ଧ୍ୱଂସ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ନାଁରେ ଏପରି ଶସ୍ତା ରାଜନୀତି ନ କରି ବାସ୍ତବତାକୁ ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମୀୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।
Follow Us