ଆଶାରାମ ବାପୁ, ରାମ ରହିମଙ୍କ ଭଳି ମୋଦୀ ଆତ୍ମଘୋଷିତ ଦିବ୍ୟ ପୁରୁଷ: ଅଜୟ କୁମାର

ଆଶାରାମ ବାପୁ, ରାମ ରହିମଙ୍କ ଭଳି ମୋଦୀ ଆତ୍ମଘୋଷିତ ଦିବ୍ୟ ପୁରୁଷ: ଅଜୟ କୁମାର

ଭୁବନେଶ୍ୱର: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନସିକ ସ୍ଥିତି ହରାଇବସିଲେଣି। ଆଶାରାମ ବାପୁ, ରାମ ରହିମ ଆଦି ଭଣ୍ଡ ବାବାଙ୍କ ଭଳି ମୋଦୀ ନିଜକୁ ଆତ୍ମଘୋଷିତ ଦିବ୍ୟ ପୁରୁଷ ବନାଇ ସାରିଲେଣି। ଏପରିକି ସେ ନିଜକୁ ଭଗବାନ ଭାବି ଲୋକଙ୍କୁ ଦିବ୍ୟ ସନ୍ଦେଶ ଦେବାକୁ ଯାଇ ଅତ୍ୟନ୍ତ ନିମ୍ନସ୍ତରର କଥା କହୁଛନ୍ତି। ଦେଶର ଜଣେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଏହା ଶୋଭନୀୟ ନୁହେଁ। ତାଙ୍କର କଥାବାର୍ତ୍ତା ଓ ଭାଷଣରୁ ଜଣାପଡ଼ୁଛି ଯେ ସେ ମାନସିକ ରୋଗରେ ପୀଡ଼ିତ। ତାଙ୍କର ଚିକିତ୍ସା ଆବଶ୍ୟକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର କହିଛନ୍ତି ଯେ ମୋଦୀ ମଟନ, ମସଜିଦ୍‌, ମାଛ, ମୁଜୁରା ଓ ମଙ୍ଗଳସୂତ୍ର ଆଦି ଶବ୍ଦକୁ ନେଇ ଯେଭଳି ଭାଷଣ ଦେଉଛନ୍ତି, ତାହା ତାଙ୍କର ନିମ୍ନ ମାନସିକତାକୁ ଦର୍ଶାଉଛି। ଅନ୍ୟପଟେ ସବୁବେଳେ ନିଜକୁ ଭଗବାନ ରାମଙ୍କ ବଡ଼ ଭକ୍ତ ବୋଲି ପ୍ରଚାର କରିଆସୁଥିବା ବିଜେପିର ଲୋକମାନେ ମୋଦୀଙ୍କୁ ଭଗବାନ ରାମଙ୍କଠାରୁ ବଡ଼ ବୋଲି ଭାବିଲେଣି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କଥାରୁ ଏହା ଜାଣି ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଥିଲେ ମଧ୍ୟ ତାଙ୍କ ମନରେ ଆତ୍ମଗର୍ବ ନଥିଲା। ତାଙ୍କର ମହନୀୟତା ପାଇଁ ରବୀନ୍ଦ୍ର ନାଥ ଟାଗୋର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ହେଲେ ମାତ୍ର ୧୦ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଭଗବାନ ଭାବିଲେଣି ଓ ବିଜେପି କାର୍ଯ୍ୟକର୍ତାମାନେ ଏହାକୁ ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି। ଯାହା ଦେଶ ପାଇଁ ବିପଦ୍‌ଜନକ। ସବୁବେଳେ ହିନ୍ଦୁ, ମୁସଲିମ୍ ପ୍ରସଙ୍ଗ ଉଠାଇ ଦେଶରେ ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରୁଥିବା ମୋଦୀଜୀ ଓ ତାଙ୍କ ସହଯୋଗୀମାନେ ବର୍ତମାନ ନିଜକୁ ଧର୍ମନିରପେକ୍ଷ ବୋଲି ପ୍ରମାଣିତ କରିବାକୁ ମିଛ କହିଲେଣି। ବର୍ତମାନ ପରିସ୍ଥିତିରେ ଦେଶର ଅର୍ଥନୀତି, ଦରଦାମ ଓ ନିଯୁକ୍ତି ଆଦି ପ୍ରସଙ୍ଗରେ ବିଚାର କରିବା ପରିବର୍ତେ ପ୍ରଧାନମନ୍ତ୍ରୀ ଆତ୍ମଘୋଷିତ ଦିବ୍ୟଶକ୍ତିର କଥା କହିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମୁଖପାତ୍ର ରୀତୁ ଚୌଧୁରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଦି ଦିବ୍ୟଶକ୍ତି ରହିଛି, ତେବେ ସେ ଦେଶର ମହିଳାମାନଙ୍କୁ କ’ଣ ପାଇଁ ସୁରକ୍ଷା ଦେଇପାରୁନାହାନ୍ତି। ପ୍ରଜ୍ଜଳ ରେବନ୍ନା ଭଳି ଜଣେ ବଳାତ୍କାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଜେପି ସରକାର କାହିଁକି ବିଫଳ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ସାମାଜିକ ଗଣମାଧ୍ୟମ ମୁଖ୍ୟ ଅମୀୟ ପାଣ୍ଡବ ଓ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ଅଭିନବ ଭଗତ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe