ଝାରସୁଗୁଡ଼ା ବିମାନବନ୍ଦରରେ ମୋଦୀଙ୍କ ଅବତରଣ ଉପରେ ନଜର: ଉଡ଼ାଣ ପାଇଁ ବାଟ ଫିଟିବ କି?

୪ ମାସ ହେବ ଆରମ୍ଭ ହୋଇନି ବିମାନସେବା

ଝାରସୁଗୁଡ଼ା ବିମାନବନ୍ଦରରେ ମୋଦୀଙ୍କ ଅବତରଣ ଉପରେ ନଜର: ଉଡ଼ାଣ ପାଇଁ ବାଟ ଫିଟିବ କି?

ଝାରସୁଗୁଡ଼ା: ଆସନ୍ତା ୧୫ ତାରିଖ ଦିନ ବଲାଙ୍ଗୀର ଆସୁଥିବ‌ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟଥର ପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିବେ। ମାତ୍ର, ଏହି ବିମାନବନ୍ଦରରୁ ଉଡ଼ାଣ ସହିତ ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଇ ତାଙ୍କର ଗସ୍ତ କି ସକାରାତ୍ମକ ବାର୍ତ୍ତା ଦେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। କାର୍ଯ୍ୟସୂଚୀ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ। ଏହାପରେ ସେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ। ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ଦ୍ବିତୀୟ ଗସ୍ତ। ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ସେ ଏଠାକୁ ଆସିବା ସହିତ ଏହି ବିମାନ ବନ୍ଦରକୁ ଉଦ୍‌ଘାଟନ କରିଥିଲେ। ‘ଉଡ଼େ ଦେଶ୍ କି ଆମ୍ ନାଗରିକ୍’ ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନ ଏଠାରୁ ଏୟାର ଓଡ଼ିଶାର ପ୍ରଥମ ବିମାନ ରାୟପୁର ଅଭିମୁଖେ ଉଡ଼ିଥିଲା। ଏହାପରେ ମାତ୍ର ୫ ଦିନ ବିମାନ ରାୟପୁର ଓ ଭୁବନେଶ୍ବର ଉଡ଼ିବା ପରେ ବନ୍ଦ ହୋଇ ଯାଇଥିଲା। ସେହି ଦିନରୁ ବିମାନ ବନ୍ଦର ସାଧାରଣ ନାଗରିକଙ୍କ କାମରେ ଆସିନଥିବା ବେଳେ ଏବେ ମୋଦୀ ସେହି ବିମାନ ବନ୍ଦରକୁ ପୁଣି ଥରେ ଆସୁଛନ୍ତି। ଉଦ୍‌ଘାଟନର ୪ ମାସ ପରେ ମଧ୍ୟ ବିମାନ ସେବା ଆରମ୍ଭ ହୋଇ ନଥିବାରୁ ଉଡ଼ାନ୍‌ ଯୋଜନା ସଫଳତା ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ମୋଦୀ କ’ଣ ଉତ୍ତର ରଖିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରକାଶଥାଉକି, ବିମାନ ବନ୍ଦର ନିର୍ମାଣରେ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଚାରିମାସ ଧରି ବିମାନ ବନ୍ଦର ପରିଚାଳନାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ମାତ୍ର ପ୍ରଧାନମନ୍ତ୍ରୀଙ୍କ ଭାଷାରେ ହାୱାଇ ଚପଲ ପିନ୍ଧୁଥିବା ଲୋକଙ୍କୁ ଆକାଶରେ ଉଡ଼ିବାର ସ୍ବପ୍ନ ପୂରା ହେବାର ଅଶା ଏବେ ମଉଳିବାରେ ଲାଗିଛି। ବିମାନ ବନ୍ଦର ନିର୍ମାଣ ଓ ପରିଚାଳନାରେ ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମାଗଣାରେ ଜମି ମଧ୍ୟ ଯୋଗାଇ ଦେଇ ସାରିଛି। ଏମ୍‌ଓୟୁ ଅନୁଯାୟୀ ରାଜ୍ୟ ସରକାର ୭୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ସୁରକ୍ଷା କର୍ମୀଙ୍କୁ ବେତନ ପ୍ରଦାନ, ସୁରକ୍ଷା କର୍ମୀଙ୍କ ବାରାକ ମରାମତି ଓ ପୁନରୁଦ୍ଧାର, ଏସ୍‌ଏଚ୍‌ ୧୦ରୁ ଏୟାର ପୋର୍ଟ ପର୍ଯ୍ୟନ୍ତ ଆପ୍ରୋଚ୍‌ ରାସ୍ତା ନିର୍ମାଣ ସହିତ ଅତିରିକ୍ତ ୧୭୭.୭୫ ଏକର ଜମି ଯୋଗାଇବାକୁ ଅଛି। ଏଥିରେ ରାଜ୍ୟ ସରକାରଙ୍କ ମ‌ୋଟ ୭ ଶହ କୋଟିରୁ ଅଧିକ ଖର୍ଚ୍ଚ ଅଟକଳ କରାଯାଇଛି। ଗତ ୪ ମାସ ମଧ୍ୟରେ ସରକାର କେବଳ ବିଦ୍ୟୁତ ବିଲ ବାବଦରେ ୫୨ ଲକ୍ଷ ୯୮ ହଜାର ୫୯୨ ଟଙ୍କା ପ୍ରଦାନ କରି ସାରିଲେଣି। ପାନୀୟ ଜଳ ବିଲ ବାବଦରେ ୧୭ ହଜାର ୪୯୬ ଟଙ୍କା, ବାରାକ ପୁନରୁଦ୍ଧାର ପାଇଁ ୪୮ ଲକ୍ଷ ୧୫ ହଜାର ୯୦୬ ଟଙ୍କା, ବିଦ୍ୟୁତ ଗ୍ରିଡ଼ ନିମାର୍ଣ ପାଇଁ ୨୭ ଲକ୍ଷ ୭୫ ହଜାର ୮୦ ଟଙ୍କା ପ୍ରଦାନ କରାଯାଇ ସାରିଛି। ବିମାନ ବନ୍ଦର ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି। ଏହି ପାଣ୍ଠିରେ ଇବ୍‌ ନଦୀରୁ ବିମାନ ବନ୍ଦରକୁ ହୋଇଥିବା ପାନୀୟ ଜଳ ଯୋଗାଣ ପାଇଁ ୫୮ ଲକ୍ଷ ୩୭ ହଜାର ଟଙ୍କା ଓ ବିଦ୍ୟୁତ୍‌କରଣ ପାଇଁ ୧୨କୋଟି ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚ ସତ୍ବେ ଆମ୍‌ ନାଗରିକ କେବେ ଆକାଶରେ ଉଡ଼ିବେ ସେ ନେଇ ବିଭିନ୍ନ ମହଲରୁ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe