ମୋଦୀ, ଅଶ୍ବିନୀଙ୍କ ଉପରେ ବ‌ର୍ଷିଲେ ଅଧୀର

Advertisment
ମୋଦୀ, ଅଶ୍ବିନୀଙ୍କ ଉପରେ ବ‌ର୍ଷିଲେ ଅଧୀର

ବାଲେଶ୍ୱର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଆଜି କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍‌ ବାଲେଶ୍ବର ଗସ୍ତ କରି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ସେଠାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ଭେଟିଛନ୍ତି। ପରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟର ହାତ ବଢ଼ାଇଥିବା ସ୍ଥାନୀୟ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାପରେ ଏହି ଦୁର୍ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ୍‌ କରି ରେଳବାଇକୁ ଆଧୁନିକୀକରଣ ନାଁରେ ଘରୋଇକରଣ କରିବାକୁ ମୋଦୀ ସରକାର ଯୋଜନା କରୁଥିବା କହିଥିଲେ।

ଶ୍ରୀ ଅଧୀର କହିଥିଲେ, ଅଭିଜ୍ଞ କର୍ମଚାରୀଙ୍କ ବଦଳରେ ଅନଭିଜ୍ଞ କର୍ମଚାରୀମାନେ ସିଗନାଲିଂ, ରେଳଧାରଣା ମରାମତି, ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ କାମ କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିବାର ପ୍ରଥମ ଅଢ଼େଇଘଣ୍ଟା ମଧ୍ୟରେ ଯଦି ସ୍ଥାନୀୟ ପ୍ରଶାସନ ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଥା’ନ୍ତେ, ତା’ହେଲେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇନଥାନ୍ତା। ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ, ମେଟ୍ରୋ ଟ୍ରେନ, ବୁଲେଟ ଟ୍ରେନ ଭଳି ବଡ଼ବଡ଼ ଯୋଜନାର ଶୁଭାରମ୍ଭ କରିବା ପାଇଁ ସବୁଜ ପତାକା ଧରି ଛିଡା ହୋଇ ପଡ଼ୁଥିବା ବେଳେ ଦୁର୍ବଳ ରେଳଧାରଣା ଗୁଡ଼ିକର ମରାମତି ରକ୍ଷଣାବେକ୍ଷଣ ପ୍ରତି ଘୋର ଅବହେଳା କରିଛନ୍ତି। ପୂର୍ବରୁ ରେଳ ମନ୍ତ୍ର‌ାଳୟର ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା ଥିଲା। ଟ୍ରେନ୍‌ ସଂଖ୍ୟା ଦିନକୁଦିନ ବଢ଼ୁଥିବା ବେଳେ ରେଳ ଧାରଣାର ସଂଖ୍ୟା ସେହି ତୁଳନାରେ ବୃଦ୍ଧି ପାଉନାହିଁ। ରେଳବାଇର ରେଳ ଧାରଣା ମରାମତି, ଟ୍ରାକ ମରାମତି, ଯନ୍ତ୍ରପାତି, ବିଦ୍ୟୁତ ଉପକରଣ ଆଦି ମରାମତି ପାଇଁ ଡିଆରଏଫ୍‌ ପାଣ୍ଠିକୁ ବନ୍ଦ ନକରି ତୁରନ୍ତ ଚାଲୁ କରିବା ସହ ସେଥିରେ ଅଧିକ ପାଣ୍ଠି ବ୍ୟବସ୍ଥା କରିବାକୁ ଶ୍ରୀ ଚୌଧୁରୀ ଗୁରୁତ୍ବ ଦେଇଥିଲେ।
ସେହିପରି ୟୁପିଏ ସରକାର ସମୟରେ ଆଣ୍ଟି କୋଲାଇଜନ ଡିଭାଇସ ପ୍ରତି ଟ୍ରେନ୍‌ରେ ଖଞ୍ଜିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ଏଯାଏ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କଲେନାହିଁ ବୋଲି ସେ କହିଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୌଧୁରୀ କହିଥିଲେ ସେ ଜଣେ ସାଂସଦ, କିନ୍ତୁ ଟେକ୍ନିକାଲ ବ୍ୟକ୍ତି ନୁହନ୍ତି। ତେଣୁ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ କହିବା ଠିକ୍‌ ହେବ ନାହିଁ। ଏଭଳି ଭୟଙ୍କର ଦୁର୍ଘଟଣା ପାଇଁ ସେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଇସ୍ତଫା କେବେବି ଦାବି କରିବେ ନାହିଁ। ହେଲେ ମନ୍ତ୍ରୀଙ୍କର, ଯଦି ସାମାନ୍ୟତମ ବିବେକ ଥା’ନ୍ତା ତେବେ ସେ ଇସ୍ତଫା ଦେଇ ସାରନ୍ତେଣି ବୋଲି କହିଥିଲେ। ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା, ଓ ପ୍ରସାଦ ହରିଚନ୍ଦନ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ନେତ୍ରୀ ତଥା ଓଡ଼ିଶା ଇନ୍‌ଚାର୍ଜ ଅନୁଲେଖା ବସା ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିନ ନୱାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe