ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ସସ୍‌ପେଣ୍ଡ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଣ୍ଡିତ କଲା ଏଆଇସିସି

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜିବ

ନୂଆଦିଲ୍ଲୀ/ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କିମିଟି (ଏଆଇସିସି) ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ କରିଛନ୍ତି। ଏଆଇସିସି ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା ସାଧାରଣ ସଂପାଦକ ତାରିକ ଅନୱର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ଅନୱର କହିଛନ୍ତି, ବିଧାୟକ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ଦଳ ବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରିପୋର୍ଟ ପଠାଇଥିଲେ। ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଏବଂ ଉଭୟ ନେତାଙ୍କୁ କାରଣ ଦର୍ଶ‌ାଅ ନୋଟିସ ଜାରି କରାଯାଇଥିଲା। ଉଭୟ ନେତା ‌ସେମାନଙ୍କର ଉତ୍ତର ଦେଇଥିଲେ। ହେଲେ ଏହା ସନ୍ତୋଷଜନକ ନ ଥିଲା। ଏଣୁ ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା କାରଣରୁ ତତ୍କାଳ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି।

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ ଅର୍ଥାତ୍ ଗତ ମେ’ ମାସ ୮ ତାରିଖରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଭୁବନେଶ୍ବର ଜୟଦେବ ଭବନଠାରେ ‘ଜାନକୀ-ବସନ୍ତ ଯୋଡ଼ି: ଓଡ଼ିଶାର ରାଜନୈତିକ ଇତିହାସର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଦଳରେ ୯ ଜଣ ବିଧାୟକ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ପାଇଁ ୨୦ ଜଣ ପ୍ରାର୍ଥୀ ବୋଲି କହିଥିଲେ। କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଝାରସୁଗୁଡ଼ା‌ ଉପନିର୍ବାଚନ ଫଳାଫଳ ପ୍ରଭାବିତ ହୋଇଛି ତଥା କଂଗ୍ରେସ ନେତା ବିଜେଡି ଠାରୁ ଅର୍ଥ ନେଇ ଏଭଳି ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଏଆଇସିସିରେ ଅଭିଯୋଗ କରିଥିଲେ। ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କଂଗ୍ରେସ ସଭାପତିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମେ’ ୨୭ ତ‌ାରିଖରେ ଏଆଇସିସିର ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦାୟିତ୍ବରେ ଥିବା ତାରିକ ଅନୱରଙ୍କ ତରଫରୁ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୧୫ ଦିନ ଭିତରେ ଜବାବ ଦାଖଲ କରିବା ପାଇଁ କୁହାଯାଇଥିଲା।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଆଇସିସି ଯାହା ନିଷ୍ପତ୍ତି ନେଇଛି ତାକୁ ଗ୍ରହଣ କରୁଛି। କଂଗ୍ରେସ ଏକ ହୋଇକି ରହିଛି ଓ ସର୍ବଦା ରହିବ। ଏକଦା ବିଜେପିର ୨ଜଣ ସାଂସଦ ଥିଲେ। ହେଲେ ଏବେ ସେମାନେ ଦେଶକୁ ଶାସନ କରୁଛନ୍ତି। ତେଣୁ କାଲି କ’ଣ ହେବ କିଏ ଭବିଷ୍ୟବାଣୀ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe